ପାଟନା:ଗତକାଲି ସମ୍ପ୍ରସାରିତ ହେଲା ବିହାରରେ ନୀତିଶ ସରକାରଙ୍କ ମନ୍ତ୍ରୀମଣ୍ଡଳ । ତେବେ ଶପଥ ଗ୍ରହଣ କରିବାର ମାତ୍ର ଗୋଟିଏ ଦିନ ପରେ ବିବାଦରେ ନୂତନ ଆଇନ ମନ୍ତ୍ରୀ ଭାବେ ନୀତିଶ ସରକାରରେ ସ୍ଥାନ ପାଇଥିବା କାର୍ତିକେୟ କୁମାର ସିଂ । ତାଙ୍କ ବିରୋଧରେ ପୂର୍ବରୁ ରହିଛି ଅପହରଣ ପରି ସଙ୍ଗୀନ ମାମଲା । ତେବେ ଚଳିତ 16 ତାରିଖରେ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଉକ୍ତ ଦିନ ହିଁ ସେ ମହାମେଣ୍ଟ ସମର୍ଥିତ ନୀତିଶ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ କୌଣସି ବେଲ ଆବେଦନ ମଧ୍ୟ କରିନଥିବା ସୂଚନା ମିଳିଛି ।
ମନ୍ତ୍ରୀ କାର୍ତ୍ତିକଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲ ରହିଛି । ତେବେ ଏହି ଅପହରଣ ମାମଲାଟି 2014 ରେ ପଞ୍ଜୀକୃତ ହୋଇଥିବା ଏକ ପୁରୁଣା ମାମଲା ବୋଲି ଜଣାପଡିଛି । 2014 ମସିହାରେ ବିହଟା ଥାନା କ୍ଷେତ୍ରରେ ଏହି ଅପହରଣ କାଣ୍ଡ ଘଟିଥିଲା । ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ସହ କାର୍ତ୍ତିକ ମଧ୍ୟ ଅଭିଯୁକ୍ତ ତାଲିକାରେ ଥିଲେ । ଜୁଲାଇ 14 ରେ ତାଙ୍କ ନାମରେ ଓ୍ବାରେଣ୍ଟ ଜାରି କରିବା ଅଗଷ୍ଟ 16 ତାରିଖ ସୁଦ୍ଧା ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ସେ କୋର୍ଟରେ ହାଜର ହେବା ପରିବର୍ତ୍ତେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏପରି ସ୍ଥଳେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ ହେବା ନେଇ ଅନୁମାନ କରାଯାଇଛି ।