ନୂଆଦିଲ୍ଲୀ: PUBG ଗେମ ଖେଳି ହୋଇଥିଲା ପ୍ରେମ । ଆଉ ପ୍ରେମିକଙ୍କ ସହ ସଂସାର ଗଢିବା ଲାଗି ଶତ୍ରୁ ରାଷ୍ଟ୍ରକୁ ମଧ୍ୟ ଆସିବାକୁ ପଛାଇନଥିଲେ ପାକିସ୍ତାନୀ ମହିଳା । ଖାଲି ନିଜେ ଆସିନଥିଲେ, ତାଙ୍କ 4 ସନ୍ତାନ ସହ ଭାରତ ଆସି ନୋଏଡାରେ ପ୍ରେମିକଙ୍କ ସହ ରହୁଥିଲେ । ବିବାହ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ନିକଟରେ ପହଞ୍ଚିଲା ଖବର । ପାକ୍ ଗୁପ୍ତଚର ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଛି । ହେଲେ ଆଶ୍ଚର୍ଯ୍ୟର କଥା ମାତ୍ର ପଞ୍ଚମ ପାସ କରିଥିବା ଏହି ପାକ ମହିଳା ସୀମା ଅତି ପ୍ରାଞ୍ଜଳ ଭାବେ ଇଂରାଜୀ ଭାଷା କହୁଛନ୍ତି । ଏହାସହିତ କମ୍ପ୍ୟୁଟର ପରିଚାଳନାରେ ମଧ୍ୟ ସିଦ୍ଧହସ୍ତ । ଯାହାକୁ ନେଇ ତଦନ୍ତ କରୁଛି ପୋଲିସ ।
କଣ ପୁରା ମାମଲା ?:-ପାକିସ୍ତାନର କରାଚି ଅଧିବାସୀ ସୀମା PUBG ଖେଳ ମାଧ୍ୟମରେ ତାଙ୍କ ହିନ୍ଦୁ ପ୍ରେମିକ ତଥା ରବୁପୁରା ଅଧିବାସୀ ସଚିନଙ୍କ ସହିତ ନୋଏଡାରେ ରହୁଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପୂର୍ବରୁ ଏହି 2 ଜଣ ନେପାଳରେ ପରସ୍ପରକୁ ଭେଟିଥିଲେ । ଏହାପରେ ମହିଳା ଜଣକ ଯୁବକଙ୍କ ସହିତ ରହିବା ଲାଗି ପୁଣି ଥରେ ନେପାଳ ଆସିଥିଲେ । ଏହାପରେ ସେଠାରୁ ବସ ଯୋଗେ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଅଞ୍ଚଳରେ ପହଞ୍ଚିଥିଲେ । ସେ ନିଜ ସାଥୀରେ 4ସନ୍ତାନଙ୍କୁ ଧରି ଆଣିଥିଲେ । ଗତ ମେ' 13 ତାରିଖରେ ମହିଳା ଜଣକ ସଚିନଙ୍କ ଘରେ ପହଞ୍ଚିଥିଲେ । ଏହାପରେ ସଚିନ ଭଡ଼ା ଘର ନେବା ପରେ ଉଭୟ ସାଥୀରେ ରହି ଆସୁଥିଲେ । ସଚିନ ତାଙ୍କୁ ବିବାହ କରିବାକୁ ଯୋଜନା କରୁଥିବା ବେଳେ ଭାରତର ନାଗରିକତାର ମାନ୍ୟତା ପାଇଁ ଚେଷ୍ଟା କରୁଥିଲେ । ହେଲେ ଏହା ପୂର୍ବରୁ ପୋଲିସ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇବା ପରେ ସଚିନ ଓ ମହିଳା ନିଜ 4 ସନ୍ତାନ ସହିତ ଫେରାର ହୋଇଯାଇଥିଲେ । ହେଲେ ପୋଲିସ ସେମାନଙ୍କୁ ଗିରଫ କରିଛି ।