ନୂଆଦିଲ୍ଲୀ:ଜି20 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଥମ ଥର ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆସନ୍ତାକାଲି ଦିଲ୍ଲୀର ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିରରେ ଦର୍ଶନ କରିବେ । ସେଥିପାଇଁ ଆଜିଠାରୁ ମନ୍ଦିର ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁନକ ଓ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ବ୍ରିଟଶ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଭାରତୀୟ ବଂଶଜ ଋଷି ସୁନକ ଭାରତ ଗସ୍ତରେ ଆସିଛନ୍ତି । ଆଜି ଜି20 ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଦ୍ବିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି ।
ତେବେ ଆସନ୍ତାକାଲି ପୂର୍ବାହ୍ନରେ ସୁନକ ମନ୍ଦିରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମନ୍ଦିର ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି । ମନ୍ଦିର ପ୍ରଶାସନର ଅଧିକାରୀ ଜ୍ୟୋତିନ୍ଦ୍ର ଦାଭେ କହିଛନ୍ତିି ‘‘ବ୍ରିଟିଶ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରୁ ସୁନକଙ୍କ ଦର୍ଶନ ସମ୍ପର୍କରେ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଛି । ତେବେ ତାଙ୍କ ଗସ୍ତ ପାଇଁ ଆମେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛୁ । ସୁରକ୍ଷା ସମେତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ମନ୍ଦିରର ମୁଖ୍ୟ ଦ୍ବାରା ‘ମୟୂର ଦ୍ବାର’ରେ ତାଙ୍କୁ ସ୍ବାଗତ କରାଯାଇ ପାଛୋଟି ନିଆଯିବ । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।’’