ଶ୍ରୀନଗର: ଦେଶର ସବୁଠାରୁ ବଡ଼ ଅର୍ଦ୍ଧସାମରିକ ବାହିନୀ ସିଆରପିଏଫର ପ୍ରତିଷ୍ଠା ଦିବସରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହି ଅବସରେ ସିରିଆରପିଏଫ ଯବାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏଥିସହ ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ଆବଶ୍ୟକ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଶ୍ରୀନଗରର ମୌଲାନା ଆଜାଦ ଷ୍ଟାଡିୟମରେ ଆୟୋଜିତ ସିଆରପିଏଫର ୮୩ତମ ରାଇଜିଂ ଡେ’ ପ୍ୟାରେଡରେ ଯୋଗ ଦେଇ ଏହା କହିଛନ୍ତି ଶାହ ।
ସେ ଆହୁରି କହିଛନ୍ତି, ଏହା ପ୍ରଥମ ଥର ପାଇଁ ହୋଇଛି ଯେ କେନ୍ଦ୍ର ସରକାର କାଶ୍ମୀରରେ ବିପୁଳ ସଂଖ୍ୟାରେ ସିଆରପିଏଫ ଯବାନ ମୁତୟନ କରିଛନ୍ତି । ସେମାନଙ୍କୁ ନିର୍ଦ୍ଦିଷ୍ଟ ଟାର୍ଗେଟ ପୂରଣ କରିବା ପାଇଁ ଆଉ କିଛି ବର୍ଷ ସମୟ ଲାଗିବ ବୋଲି ସ୍ପଷ୍ଟ କରିଛନ୍ତି ଶାହା । କାଶ୍ମୀର, ନକ୍ସଲ ଓ ଉତ୍ତରପୂର୍ବ ଅଞ୍ଚଳରେ ସିଆରପିଏଫ ଯେଉଁଭଳି କାମ କରୁଛି, ତା’କୁ ଦେଖି ନିଶ୍ଚିତ ଯେ ଆଉ କିଛି ବର୍ଷ ପରେ ଏହି ୩ଟି ଅଞ୍ଚଳରେ ଆମେ ଆଉ ସିଆରପିଏଫର ଆବଶ୍ୟକ କରିବା ନାହିଁ। ଏହି ୩ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇ ସାରିଥିବ ବୋଲି ନିଶ୍ଚିତ। ଯଦି ଏମିତ ହୁଏ, ତା’ହେଲେ ସବୁର ଶ୍ରେୟ ସିଆରପିଏଫକୁ ଯିବ ବୋଲି କହିଛନ୍ତି ଶାହ ।