ମୁମ୍ବାଇ: ମହାରାଷ୍ଟ୍ର ପୁଣେ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସୁରକ୍ଷାରେ ତ୍ରୁଟି । ଗସ୍ତ ବେଳେ ଗୃହମନ୍ତ୍ରୀ ଶାହଙ୍କ ନିକଟତର ହେବାକୁ ଉଦ୍ୟମ କରିଥିବା ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତର ନାମ ସୋମେଶ ଧୁମାଲ ଓ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜଣେ ଘନିଷ୍ଠ ସହଯୋଗୀ ବୋଲି ଚର୍ଚ୍ଚା ହେଉଛି । ଯୁବକଙ୍କର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଏକାଧିକ ଫଟୋ ମଧ୍ୟ ଏବେ ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଜେରା କରୁଛି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଗିରଫ ଯୁବକର ଭାଇରାଲ ଫଟୋ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅମିତ ଶାହଙ୍କ ପୁଣେ ଗସ୍ତ ସମୟରେ ଯୁବକଜଣଙ୍କ ପ୍ରୋଟୋକଲ ଭାଙ୍ଗି ଶାହଙ୍କ ନିକଟତର ହେବା ପାଇଁ ଉଦ୍ୟମ କରିଥିଲେ । ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ପାଖଲୋକ ବୋଲି ମଧ୍ୟ ପରିଚୟ ଦେବାକୁ ଉଦ୍ୟମ କରିଥିଲେ । ନିକଟରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେରା କରୁଛି ।
ତେବେ ଘଟଣା ପରେ ଶାହଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି । କିପରି କଡା ସୁରକ୍ଷା ପ୍ରୋଟୋକଲ ସତ୍ତ୍ବେ ମଧ୍ୟ ଯୁବକଜଣଙ୍କ କେନ୍ଦ୍ର ଗୃହମନ୍ତ୍ରୀଙ୍କ କାଫିଲାରେ ପ୍ରବେଶ କରିବାରେ ସଫଳ ହେଲେ ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ହୋଇଥିବା କାରଣରୁ ମହାରାଷ୍ଟ୍ର ପୋଲିସର କୌଣସି ଅଧିକାରୀ ତାଙ୍କୁ ଏଥିରେ ସହଯୋଗ କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଯୁବକଙ୍କ ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତର ପୃଷ୍ଠଭୂମି ଯାଞ୍ଚ କରିବା ଆରମ୍ଭ କରିଛି । ସୁରକ୍ଷା ଦାୟିତ୍ବରେ ରାଜ୍ୟ ପୋଲିସର କିଛି ଅଧିକାରୀଙ୍କୁ ମଧ୍ୟ ଜେରା କରାଯାଇପାରେ ।
ନିକଟ ଅତୀତରେ କର୍ଣ୍ଣାଟକର ବେଲଗାଭୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ସୋ ବେଳେ ମଧ୍ୟ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତି କଡା ସୁରକ୍ଷା ସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଫୁଲମାଳ ପିନ୍ଧାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଏସପିଜି ଯବାନ ଓ ଅନ୍ୟ ସୁରକ୍ଷାକର୍ମୀ ତାଙ୍କୁ ବାଧା ଦେଇଥିଲେ । ବ୍ୟାପକ ସୁରକ୍ଷା ପ୍ରୋଟୋକଲ ସତ୍ତ୍ବେ ମଧ୍ୟ ବିଭିନ୍ନ ସମୟରେ ଭିଭିଆଇପିଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ