ନୂଆଦିଲ୍ଲୀ: ଦିନକୁ ଦିନ ଖରାପ ହେବାରେ ଲାଗିଛି ତାଲିବାନ ଆତଙ୍କୀଙ୍କ କବଜାରେ ଥିବା ଆଫଗାନିସ୍ତାନ । ସେଠାରେ ଅନେକ ରାଜ୍ୟରେ ବଢୁଛି ତାଲିବାନ ଆତଙ୍କର କାୟା । ଏହାରି ମଧ୍ୟରେ ଭାରତୀୟଙ୍କ ପାଇଁ ଜାରି ହୋଇଛି ତୃତୀୟ ଆଡଭାଇଜାରୀ ।
କାବୁଲରେ ଥିବା ଭାରତୀୟ ଦୂତାବାସର ଟ୍ବିଟର ହ୍ୟାଣ୍ଡେଲରୁ ଟ୍ବିଟ କରି କୁହାଯାଇଛି ଯେ ଏହି ଆଡଭାଇଜାରୀ ଜୁନ 29 ଏବଂ ଜୁଲାଇ 24ରେ ଦିଆଯାଇଥିବା ଦୁଇଟି ସୁରକ୍ଷା ସମ୍ବନ୍ଧୀୟ ଆଡଭାଇଜାରୀ ସହିତ ଜଡିତ । ପୂର୍ବ ଦୁଇଟି ଆଡଭାଇଜାରୀରେ ଦିଆଯାଇଥିବା ପରାମର୍ଶ ବର୍ତ୍ତମାନ ମଧ୍ୟ ବୈଧ । ସମସ୍ତ ଭାରତୀୟଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି, ଯାହା ସେହି ଦୁଇଟି ସୁରକ୍ଷା ଆଡଭାଇଜାରୀରେ କୁହାଯାଇଥିଲା ।
ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପ୍ରବଳ ହିଂସାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଏବଂ ସହରରେ ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ କରାଯାଇଛି। ପର୍ଯ୍ୟଟନ ପାଇଁ ଆଫଗାନିସ୍ତାନ ଯାଇଥିବା, କାର୍ଯ୍ୟ କରୁଥିବା ଏବଂ ରହୁଥିବା ସମସ୍ତ ଭାରତୀୟଙ୍କୁ ବାଣିଜ୍ୟିକ ବିମାନ ଉଡ଼ାଣ କେଉଁଠାରୁ ହେଉଛି ସେ ବିଷୟରେ ନିଜକୁ ଅପଡେଟ ରଖିବାକୁ ପରାମର୍ଶ ଦିଆଯାଇଛି । ଯଦି ବିମାନ ସେବା ବନ୍ଦ ହେଉଛି, ତାହେଲେ ତୁରନ୍ତ ଫେରିବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି କୁହାଯାଇଛି ।
ଆଡଭାଇଜାରୀରେ ଆହୁରି ମଧ୍ୟ କୁହାଯାଇଛି ଯେ ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକୁ ବିମାନ ସେବା ବନ୍ଦ ହେବା ପୂର୍ବରୁ ଦେଶର ପ୍ରୋଜେକ୍ଟ ସାଇଟରୁ ସେମାନଙ୍କ ଭାରତୀୟ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ଏକାସାଙ୍ଗରେ, ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଭାରତୀୟ ନାଗରିକ କିମ୍ବା ବିଦେଶୀ କମ୍ପାନୀଗୁଡିକ ପାଇଁ ସେମାନଙ୍କ ନିଯୁକ୍ତିଦାତାଙ୍କୁ ଭାରତ ଯିବାକୁ ବ୍ୟବସ୍ଥା କରିବାକୁ ଅନୁରୋଧ କରାଯାଇଛି ।