ଚଣ୍ଡୀଗଡ: ଚଣ୍ଡୀଗଡ ସ୍ଥିତ PGIMERକୁ(Postgraduate Institute of Medical Education and Research) ମିଳିଲା ୧୦ କୋଟିର ଗୁପ୍ତଦାନ । PGIMER ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ଦାନ ମିଳିଛି । ଜଣେ ଡାକ୍ତର ଏହି ବୃହତ୍ ରାଶି ଦାନ କରିଛନ୍ତି । ଡାକ୍ତର ଜଣକ ଅନ୍ୟ କେହି ନୁହଁନ୍ତି, ଏହି ପ୍ରତିଷ୍ଠିତ ମେଡିକାଲ ସଂସ୍ଥାନ ସହ ଜଡିତ ଜଣେ ଡାକ୍ତର ବୋଲି ସୂଚନା ମିଳିଛି । ହେଲେ ସେ ନିଜ ନାମ ସାର୍ବଜନୀନ କରିବାକୁ ଚାହୁଁନଥିବା ଯୋଗୁଁ ତାଙ୍କ ପରିଚୟ ଗୋପନ ରଖାଯାଇଛି ।
ଯାହା ସୂଚନା ମିଳିଛି, ଡାକ୍ତର ଜଣକ ପୂର୍ବରୁ PGIMERର କୌଣସି ବିଭାଗର ଏଚଓଡି(HOD) ଥିଲେ । ନିକଟରେ PGIMERରେ ତାଙ୍କ ଝିଆରୀଙ୍କ କିଡନୀ ପ୍ରତିରୋପଣ ହୋଇଥିଲା । ଏହି ସମୟରେ ସମ୍ପୃକ୍ତ ଡାକ୍ତର ମେଡିକାଲରେ ରୋଗୀଙ୍କ ସମସ୍ୟା ଦେଖି ବିଚଳିତ ହୋଇଥିଲେ । ତେଣୁ ରୋଗୀମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ସେ ମେଡିକାଲକୁ ୧୦ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହି ଡାକ୍ତରଙ୍କ ପୂର୍ବରୁ ୨୦୨୦ ବର୍ଷ ଏଚକେ ଦାସ ପରିବାର PGIMERକୁ ସର୍ବାଧିକ ୫୦ ଲକ୍ଷ ଟଙ୍କା ଦାନ ଦେଇଥିଲେ ।