କାଠମାଣ୍ଡୁ: ନେପାଳର ତାରା ଏୟାର ଲାଇନ୍ସର ନିଖୋଜ ବିମାନ ଠାବ ହୋଇଥିଲେ ମଧ୍ୟ ସର୍ଚ୍ଚ ଓ ଉଦ୍ଧାର ଅପରେସନରେ ସମସ୍ୟା ସୃଷ୍ଟି କରିଛି ପ୍ରତିକୂଳ ପାଗ । ଘଟଣାସ୍ଥଳରେ ତୁଷାରପାତ ଯୋଗୁଁ ଲୋ ଭିଜିବିଲିଟି କାରଣରୁ ଆଜି ପାଇଁ ଅପରେସନକୁ ବନ୍ଦ ରଖାଯାଇଛି । ଆସନ୍ତକାଲି ସକାଳେ ପୁଣି ଥରେ ଅପରେସନ ଆରମ୍ଭ କରାଯିବ । ଆଜି ସର୍ଚ୍ଚ ଅପରେସନରେ ନିୟୋଜିତ ହେଲିକପ୍ଟର ଗୁଡିକୁ ବେସକୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବା ତ୍ରିଭୂବନ ଅନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ତେବେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିବା ସ୍ଥାନୀୟ ସୂତ୍ରରୁ ସୂଚନା ମିଳିଥିବାବେଳେ ସେନା ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ପହଞ୍ଚି ପାରିନାହାନ୍ତି । ତେଣୁ ଦୁର୍ଘଟଣା ନେଇ ସରକାରୀ ଭାବେ ମଧ୍ୟ ନେପାଳ କିଛି ସ୍ପଷ୍ଟ କରିନାହିଁ । ଆସନ୍ତାକାଲି ସକାଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚିବା ପରେ ମୃତାହତଙ୍କ ସମ୍ପର୍କରେ ଚିତ୍ର ସ୍ପଷ୍ଟ ହେବ ।