ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କରିବାକୁ 'ଅପରେସନ ଗଙ୍ଗା'କୁ ଜୋରଦାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ବାୟୁସେନାକୁ ସାମିଲ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ବାୟୁସେନାର ସି-୧୭ ବିମାନ ନାଗରିକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ । ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ବିମାନ ଯୋଗେ ଛାତ୍ରଛାତ୍ରୀ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରି ସାରିଥିବାବେଳେ ବିମାନ ଚଳାଚଳ ଜାରି ରହିଛି ।
ଇତିମଧ୍ୟରେ ଆଜି(ବୁଧବାର) ବୁକାରେଷ୍ଟ ବିମାନ ବନ୍ଦରରେ ବିମାନକୁ ଅପେକ୍ଷା କରିଥିବା କିଛି ଭାରତୀୟ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ରୋମାନିଆ ରାଜଧାନୀ ବୁକାରେଷ୍ଟରୁ ସମସ୍ତେ ସୁରକ୍ଷିତ ଭାବେ ଭାରତ ଫେରିବେ । ଚିନ୍ତା କରନ୍ତୁନି । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ବୋଲି ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ଦେଇଛନ୍ତି ମନ୍ତ୍ରୀ ।
ଋଷ ୟୁକ୍ରେନରେ ସାମରିକ ଅପରେସନ ଲଞ୍ଚ କରିବା ପରେ ଫେବୃୟାରୀ ୨୪ରେ ଅପରେସନ ଗଙ୍ଗା ମିଶନ ଆରମ୍ଭ ହୋଇଥିଲା । ମିଶନ ଗଙ୍ଗା ଜରିଆରେ ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଅଣାଯାଉଛି । ଏହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରୁ ଭାରତ ଫେରିଥିବାବେଳେ ଏବେ ବି ଶହ ଶହ ଭାରତୀୟ ଅପେକ୍ଷା କରିଛନ୍ତି । ଅପରେସନ ଗଙ୍ଗା ଚାଲିଥିବାବେଳେ ଏବେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବାୟୁସେନାକୁ ସାମିଲ ହେବାକୁ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି ।