ଚଣ୍ଡିଗଡ: ଉତ୍ତର ଭାରତରେ ବାୟୁ ପ୍ରଦୂଷଣ ସମସ୍ୟା ଏବେ ସଙ୍କଟର ରୂପ ନେବାରେ ଲାଗିଲାଣି । ଗତକାଲି ପ୍ରଦୂଷଣ କାରଣରୁ ଦିଲ୍ଲୀ ସରକାର ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ନେବା ପରେ ଆଜି ୪ ଜିଲ୍ଲାରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର ।
ଗୁରୁଗ୍ରାମ, ଫରିଦାବାଦ, ସୋନିପଥ ଏବଂ ଝାଝର ଜିଲ୍ଲାରେ ସମସ୍ତ ବିଦ୍ୟାଳୟକୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ହରିୟାଣା ସରକାର ତତ୍ପରତା ଦେଖାଇଛନ୍ତି । ଭୟଙ୍କର ପ୍ରଦୂଷଣରେ କୋମଳମତି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇବା ଆଶଙ୍କା ଅଧିକ ଥିବାରୁ ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଆହୁରି ମଧ୍ୟ ଏହି ୪ ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ କାର୍ଯ୍ୟାଳୟ ଆସିବା ପରିବର୍ତ୍ତେ ଓ୍ବାର୍କ-ଫର୍ମ ହୋମ କରିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର । ଏହି ନିଷ୍ପତ୍ତି ଦ୍ବାରା ଅତି କମରେ ରାସ୍ତାରେ ଯାଉଥିବା ଯାନ ବାହନ 30% ହ୍ରାସ ହୋଇପାରିବ । ଯାହା ପ୍ରଦୂଷଣ ରୋକିବାରେ ଏକ ଉପାଦେୟ ଦିଗ ସାବ୍ୟସ୍ତ ହୋଇପାରେ ବୋଲି ହରିୟାଣା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସେହିପରି ବିଶେଷ ଭାବେ ପ୍ରଭାବିତ ଥିବା ଏହି ୪ ଜିଲ୍ଲାରେ ସମସ୍ତ ପ୍ରକାର ନିର୍ମାଣ ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧାଦେଶ ଜାରି କରାଯାଇଛି । କୌଣସି ଆବର୍ଜନା ଜଳାଯିବାକୁ ରୋକିବାକୁ ମ୍ୟୁନିସିପାଲିଟି ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି କିଛି ପ୍ରଦୂଷଣ ସୃଷ୍ଟିକାରୀ କାର୍ଯ୍ୟକଳାପ ଉପରେ ରୋକ ଲଗାଗଲେ ଆସନ୍ତା କିଛି ଦିନ ମଧ୍ୟରେ ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିପାରେ ବୋଲି ଅନୁମାନ କରୁଛନ୍ତି ପାଣିପାଗ ବିଜ୍ଞାନୀ ।
@ANI