ବେଙ୍ଗାଲୁରୁ:କର୍ଣ୍ଣାଟକର କୋଲାର ଜିଲ୍ଲାରେ ଏକ ଅମାନବୀୟ ଘଟଣା ସାମନାକୁ ଆସିଛି । ମାଲୁର ସବଡିଭିଜନର ମୋରାରଜୀ ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କୁ ଶୌଚାଳୟ ଟାଙ୍କି ସଫା କରାଇବାର ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ବରିଷ୍ଠ ଶିକ୍ଷକଙ୍କ ଉପସ୍ଥିତିରେ ସ୍କୁଲର ଛାତ୍ର ମାନଙ୍କୁ ଶୌଚାଳୟ ଟାଙ୍କି ସଫେଇ କାମରେ ନିୟୋଜିତ କରାଯାଇଥିଲା । ଏହି ମାମଲାରେ ବିଦ୍ୟାଳୟର ପ୍ରିନ୍ସିପାଲ ଭରତମ୍ମା, ୱାଡେନ ମଞ୍ଜୁନାଥ ଏବଂ ଅନ୍ୟ ଦୁଇ ଶିକ୍ଷକ ମୁନିଅପ୍ପା ଏବଂ ଅଭିଷେକଙ୍କୁ ନିଲମ୍ବିତ କରାଯାଇଛି ।
ସୂଚନା ମୁତାବକ ଏହି ଘଟଣା ପରେ ଶିକ୍ଷାର୍ଥୀ ମାନଙ୍କ ଶରୀର, ହାତ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପୀଡିତ ଛାତ୍ରମାନେ କାନ୍ଦି କାନ୍ଦି ନିଜର ଅଭିଭାବକଙ୍କୁ ସେମାନଙ୍କୁ ବିଦ୍ୟାଳୟରେ ହଇରାଣ କରାଯାଉଛି ବୋଲି ଜଣାଇଥିଲେ । ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବା କଥା ମଧ୍ୟ ସାମନାକୁ ଆସିଛି । ସୂଚନା ଥାଉକି ଏହି ଆବାସିକ ବିଦ୍ୟାଳୟରେ ୨୫୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢୁଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସମସ୍ତ ଘଟଣା ସମ୍ପର୍କରେ ଅବଗତ ହେବା ସହ ଆକ୍ସନ ମୋଡକୁ ଆସିଛନ୍ତି । ହୁବଲିରେ ଏ ସମ୍ପର୍କରେ ମିଡିଆରେ ସେ କହିଛନ୍ତି ଯେ ସେ ମାଲୁରର ସ୍କୁଲ ବିଷୟରେ ଜାଣିଛନ୍ତି । ଏହା ଉପରେ ସେ ଏକ ରିପୋର୍ଟ ନେବେ ଏବଂ ଦୋଷୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ ।
ଏହା ମଧ୍ୟ ପଢନ୍ତୁ ...ମହିଳାଙ୍କୁ ଉଲଗ୍ନ କରି ପରେଡକୁ ନେଇ ପ୍ରତିବାଦ, ବେଙ୍ଗାଲୁରୁରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ