ନୂଆଦିଲ୍ଲୀ:ଆଜି ଆସିବ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ମାମଲାର ରାୟ । କେନ୍ଦ୍ର ସରକାରଙ୍କ ବିରୋଧରେ ହୋଇଥିବା ମାମଲାର ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଗଠିତ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । 2019 ମସିହାରେ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିଥିଲେ । ଯାହାକୁ ବିରୋଧ କରି ଏକାଧିକ ମାମଲା କୋର୍ଟରେ ଦାଏର ହୋଇଥିଲା । 16 ଦିନ ଧରି ଲଗାତାର ଶୁଣାଣି ପରେ ସେପ୍ଟେମ୍ବର 5 ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏହି ମାମଲାରେ ରାୟ ପ୍ରକାଶ କରିବାକୁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ ।
2019 ମସିହା ଅଗଷ୍ଟ 5 ତାରିଖରେ କେନ୍ଦ୍ର ସରକାର କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଧାରା 370 ଓ 35-ଏ'କୁ ଉଚ୍ଛେଦ କରିଥିଲେ । କାଶ୍ମୀରର ରାଜ୍ୟ ପାହ୍ୟାକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା । ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଏହାକୁ ବିରୋଧ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାଓ୍ବନ, ଦୁଷ୍ୟନ୍ତ ଦାଭେ, ଜାଫର ଶାହ, ଗୋପାଲ ଶଙ୍କର ନାରାୟଣନଙ୍କ ପରି ବରିଷ୍ଠ ଆଇନଜୀବୀ ପକ୍ଷ ରଖିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିୟମିତ ପକ୍ଷ ରଖିଥିଲେ । ଏହି ବହୁଚର୍ଚ୍ଚିତ ମାମଲାର ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ପ୍ରକାଶ ପାଇବାକୁ ଯାଉଛି ।