ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବେଲ ଆବେଦନର ରାୟ ଚଳିତ 30 ତାରିଖରେ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସ.ଭି.ଏମ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିବାକୁ ଯାଉଛନ୍ତି । ଉଭୟ କେନ୍ଦ୍ରୀୟ ସଂସ୍ଥା ଇଡି ଓ ସିବିଆଇ ଦ୍ବାରା ଗିରଫ ହୋଇ ସିସୋଦିଆ ଏବେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ତେବେ ତଳ କୋର୍ଟରୁ ଏକାଧିକ ଥର ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ଏକାଧିକ ଶୁଣାଣି ପରେ ସର୍ବୋଚ୍ଚ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଯାହା 30 ରେ ପ୍ରକାଶ ପାଇବାକୁ ଯାଉଛି ।
ଚଳିତ ବର୍ଷ ଫେବୃଆରୀରେ ଏହି ବହୁଚର୍ଚ୍ଚିତ ମାମଲାରେ ଗିରଫ ହୋଇଥିଲେ ସିସୋଦିଆ । ସେତେବେଳେ ସେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଥିଲେ । ଏକାଧିକ ରାଉଣ୍ଡର ସମନ, କାର୍ଯ୍ୟାଳୟ ଓ ବାସଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ । ଏବେ ସେ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ପ୍ରଥମେ ସିବିଆଇ ତାଙ୍କୁ ଗିରଫ କରିଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଗିରଫ କରିଥିଲା ।
ଚଳିତ ମାସରେ ଏହି ମାମଲାରେ ଦଳର ଅନ୍ୟତନ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଛନ୍ତି । ଏବେ ଆମ ଆଦମୀ ପାର୍ଟିର ଅନ୍ୟ କିଛି ନେତା ମଧ୍ୟ ଏହି ଅବକାରୀ ନୀତି ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥାର ସ୍କାନରରେ ରହିଛନ୍ତି । ପୂର୍ବରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଆର୍ଥିକ ଠକେଇ ମାମଲାରେ ଗିରଫ ହୋଇ ସାରିଛନ୍ତି ।