ଓଡିଶା

odisha

ETV Bharat / bharat

ଫାଶୀଠୁ ମଧ୍ୟ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ବିକଳ୍ପ ଅଛି କି ? କେନ୍ଦ୍ରକୁ ରିପୋର୍ଟ ମାଗିଲେ ସର୍ବୋଚ୍ଚ କୋର୍ଟ - ହଟିବ ଫାଶୀ ଦଣ୍ଡ

ଫାଶୀ ନୁହେଁ ବରଂ ଆବଶ୍ୟକ ଆହୁରି କମ ଯନ୍ତ୍ରଣାଦାୟୀ ଓ ମାନବୀୟ ମୃତ୍ୟୁଦଣ୍ଡ ପଦ୍ଧତି । କେନ୍ଦ୍ରକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ କହିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ଫାଶୀ ଠାରୁ ମଧ୍ୟ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ନେଇ ବିଚାର ବିମର୍ଶ
ଫାଶୀ ଠାରୁ ମଧ୍ୟ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡ ନେଇ ବିଚାର ବିମର୍ଶ

By

Published : Mar 21, 2023, 8:57 PM IST

ନୂଆଦିଲ୍ଲୀ:ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଯେକୌଣସି ଜଘନ୍ୟ ଅପରାଧ ପାଇଁ ସର୍ବାଧିକ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି । ଅନ୍ୟ ରାଷ୍ଟ୍ରମାନଙ୍କରେ ମୃତ୍ୟୁଦଣ୍ଡର ଏକାଧିକ ପଦ୍ଧତି କାର୍ଯ୍ୟକାରୀ ହେଉଥିବା ବେଳେ ଭାରତରେ ମାନବୀୟ ଦୃଷ୍ଟିକୋଣରୁ କେବଳ ଫାଶୀ ପଦ୍ଧତି ହିଁ ବ୍ୟବହାର କରାଯାଇଥାଏ । ତେବେ ଏବେ ଫାଶୀ ଠାରୁ ମଧ୍ୟ କମ ଯନ୍ତ୍ରଣାଦାୟକ ମୃତ୍ୟୁଦଣ୍ଡର ପ୍ରଣାଳୀ ଖୋଜିବା ଦିଗରେ ସର୍ବୋଚ୍ଚ କୋର୍ଟ ବିଚାର ବିମର୍ଶ କରୁଛନ୍ତି । ଫାଶୀ ଠାରୁ ଅନ୍ୟ କୌଣସି କମ ଯନ୍ତ୍ରଣାଦାୟକ ପ୍ରଣାଳୀରେ ମୃତ୍ୟୁଦଣ୍ଡ ସମ୍ଭବ କି ନୁହେଁ, ସେ ନେଇ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବରେ ପି.ଏସ ନରସିହ୍ମାଙ୍କୁ ନେଇ ଦୁଇ ଜଣିଆ ଖଣ୍ଡପୀଠ ଏହି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ମୃତ୍ୟୁଦଣ୍ଡ ପ୍ରଣାଳୀର ମାନବୀୟ ଦିଗ ଉପରେ ଗୁରୁତ୍ବ ଦେଇଥିଲେ । ଫାଶୀ ଦଣ୍ଡର ବିକଳ୍ପ ଭାବେ ବର୍ତ୍ତମାନ ସମୟରେ କୌଣସି ନୂତନ ପଦ୍ଧତି ବ୍ୟବହାର କରାଯାଇ ପାରିବ କି ନାହିଁ, ସେ ନେଇ କେନ୍ଦ୍ର ସରକାର ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି ।

ଆଇନଜୀବୀ ଋଷି ମାଲୋହୋତ୍ରାଙ୍କ ଦ୍ବାରା ଏହି ଆବେଦନ କରାଯାଇଥିଲା । ଫାଶୀ ଠାରୁ ମଧ୍ୟ କମ ଯନ୍ତ୍ରଣା ଓ ମାନବୀୟ ଭାବେ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପାଇଁ ଏହି ଆବଦନରେ ଦର୍ଶାଯାଇଥିଲା । କୋର୍ଟ ଏହି ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରିପାରନ୍ତି । ଏହି ଉଚ୍ଚସ୍ତରୀୟ କମିଟିରେ ଚିକିତ୍ସା ବିଜ୍ଞାନ, ଆଇନ ବିଶେଷଜ୍ଞ ଓ ମାନବାଧିକାର କର୍ମୀ ମଧ୍ୟ ରହିବେ । ଏମ୍ସ ଡାକ୍ତର, ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (NLU) ପ୍ରଫେସର ଓ ଅନ୍ୟ କିଛି କ୍ଷେତ୍ରରୁ ବିଶେଷଜ୍ଞ ଏହି ସମ୍ଭାବିତ କମିଟିରେ ସ୍ଥାନ ପାଇବେ ।

ଆଜି ଶୁଣାଣିରେ ଆବେଦନକାରୀ ଆଇନଜୀବୀ ଋଷି ମଲୋହୋତ୍ରା ଖଣ୍ଡପୀଠଙ୍କ ମସ୍ମୁଖରେ ତର୍କ ରଖିଥିଲେ ଯେ, 2017 ରେ କୋର୍ଟଙ୍କ ପ୍ରଦତ୍ତ ରାୟ ଅନୁସାରେ ମର୍ଯ୍ୟାାଦାପୂର୍ଣ୍ଣ ମୃତ୍ୟୁ ଜଣେ ନାଗରିକର ମୌଳିକ ଅଧିକାର । ଦୋଷୀ ସାବ୍ୟସ୍ତ ଜଣେ ବ୍ୟକ୍ତି ଫାଶି ମାଧ୍ୟମରେ ମୃତ୍ୟୁଦଣ୍ଡ ପାଇବା ବେଳେ ତାର ମର୍ଯ୍ୟାଦା କ୍ଷୂର୍ଣ୍ଣ ହେଉଛି । ଫାଶୀ ଦେବା ବେଳେ ପ୍ରକ୍ରିୟାରେ ସମାନ୍ୟ ତ୍ରୁଟି ମଧ୍ୟ ମୃତ୍ୟୁକୁ ବିଳମ୍ବ କରିପାରେ । ଏପରି ସ୍ଥଳରେ ବ୍ୟକ୍ତି ଅଧିକ ଯନ୍ତ୍ରଣାରେ ପ୍ରାଣତ୍ୟାଗ କରେ । ଯାହା ମାନବାଧିକାରର ଉଲଙ୍ଘନ ଓ ଏକ ବର୍ବର ପ୍ରକ୍ରିୟା ସଦୃଶ୍ୟ । ଏପରି ସ୍ଥଳେ ଏକାଧିକ ଦେଶରେ ମୃତ୍ୟୁଦଣ୍ଡ ପାଇଁ ଫାଶୀର ବ୍ୟବହାରକୁ ନିଷେଧ କରାଯାଇଛି । ବର୍ତ୍ତମାନ ସମୟରେ ସର୍ବନିମ୍ନ ଯନ୍ତ୍ରଣା ସହ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ଉପରେ ଚିନ୍ତା କରିବାକୁ ହେବା ନେଇ ଆବେଦନକାରୀ ଆଇନଜୀବୀ କହିଥିଲେ ।

ତେବେ ଏଥିରେ ଖଣ୍ଡପୀଠ କହିଥିଲେ, ବର୍ତ୍ତମାନ ସମୟରେ ସେପରି କିଛି ବିକଳ୍ପ ପଦ୍ଧତି ପାଇଁ ବିଜ୍ଞାନ ଅନୁମତି ଦେଉଛି କି ? ବିଷାକ୍ତ ଇନଜେକ୍ସନ ମାଧ୍ୟମରେ ମୃତ୍ୟୁଦଣ୍ଡର କାର୍ଯ୍ୟକାରିତା ନେଇ କୋର୍ଟ ପ୍ରଶ୍ନ ଉଠାଇଥଲେ । ଏହାକୁ ଆମେରିକାରେ ମଧ୍ୟ ନିଷେଧ ଘୋଷଣା କରାଯାଇଛି । ତେବେ ଭାରତରେ କ‘ଣ ବିକଳ୍ପ ହୋଇପାରେ, ସେନେଇ କେନ୍ଦ୍ର ଏକ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରୁ ବୋଲି ଖଣ୍ଡପୀଠ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ’ ମାସ ଶେଷ ଭାଗରେ କରାଯିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details