ନୂଆଦିଲ୍ଲୀ:ମରାଠା ସଂରକ୍ଷଣକୁ ନେଇ ଆଜି (ବୁଧବାର) ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମରାଠା ସଂରକ୍ଷଣକୁ ଅସାମ୍ବିଧାନିକ ଦର୍ଶାଇବା ସହ ମହାରାଷ୍ଟ୍ର ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି । ଅଦାଲତଙ୍କ ଏହି ରାୟ ପରେ ଏବେ କୌଣସି ବ୍ୟକ୍ତି ବିଶେଷଙ୍କୁ ମରାଠା ସଂରକ୍ଷଣ ଆଧାରରେ ନିଯୁକ୍ତି କିମ୍ବା ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ମିଳିବ ନାହିଁ ।
ନିଜ ରାୟରେ ସୁପ୍ରିମକୋର୍ଟ କହିଛନ୍ତି ମରାଠା ସମ୍ପ୍ରଦାୟଙ୍କୁ କୋଟା ପାଇଁ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଘୋଷଣା କରାଯାଇ ପାରିବ ନାହିଁ । ଏହା ମହାରାଷ୍ଟ୍ର ସରକାରଙ୍କ ଆଇନ 2018 ସମାନତା ଅଧିକାର ଉଲ୍ଲଘଂନ କରୁଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଆମେ ଆଉ ଥରେ 1992 ରାୟର ସମୀକ୍ଷା କରିବୁ ନାହିଁ । ଯେଉଁ ରାୟରେ ସଂରକ୍ଷଣ କୋଟା 50 ପ୍ରତିଶତକୁ ସ୍ଥଗିତ ରଖାଯାଇଥିଲା ।
ଆଜି ସୁପ୍ରିମକୋର୍ଟଙ୍କ ଏକ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ମରାଠା ସଂରକ୍ଷଣ 50 ପ୍ରତିଶତ ସୀମା ଉଲ୍ଲଘଂନ କରୁଛି । ତେବେ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଏହି ରାୟ ଏହା ପୂର୍ବରୁ ହୋଇଥିବା ନିଯୁକ୍ତି ଓ ସଂରକ୍ଷଣ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।