ନୂଆଦିଲ୍ଲୀ:ବିହାର ରାଜନେତା ତଥା ରାଷ୍ଟ୍ରୀୟ ଜନତା ଦଳ(RJD) ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍ । ୧୯୯୫ ମସିହା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟ ପ୍ରଭୁନାଥ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୨ରେ ପାଟନା ହାଇକୋର୍ଟ ଆରଜେଡି ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କ ୩ ଜଣିଆ ଖଣ୍ଡପୀଠ ଉଚ୍ଚ ଅଲଦାତଙ୍କ ଏହି ଆଦେଶକୁ ଖାରଜ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
୧୯୯୫ ମସିହା ଅଗଷ୍ଟ ୨୩ରେ ବିହାର ବିଧାନସଭା ନିର୍ବାଚନ ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ତତ୍କାଳୀନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କ କଥାରେ ଭୋଟ ନଦେବାରୁ ରାଜେନ୍ଦ୍ର ରାୟ ଓ ଦରୋଗା ରାୟ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବରୁ ପାଟନା ହାଇକୋର୍ଟ ପୂର୍ବତନ ସାଂସଦଙ୍କୁ ଦୋଷମୁକ୍ତ କରିଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ କୌଲ କହିଛନ୍ତି ଯେ, ଏଠି କେବଳ ଦୁଇଟି ବିକଳ୍ପ ଅଛି, ଆଜୀବନ ଜେଲ୍ ନଚେତ୍ ମୃତ୍ୟୁଦଣ୍ଡ । କୋର୍ଟ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ସିଂହ ୧୯୯୫ ମସିହାରେ ଛପ୍ରା ଅଞ୍ଚଳରେ ୧୮ ବର୍ଷୀୟ ରାଜେନ୍ଦ୍ର ରାୟ ଓ ୪୭ ବର୍ଷୀୟ ଦରୋଗା ରାୟଙ୍କୁ ହତ୍ୟା କରିଥିବା ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଛି ।