ନୂଆଦିଲ୍ଲୀ:ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲା (Maharashtra political petition)ର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟର 5 ଜଣିଆ ସାମ୍ବିଧାନିକ ଖଣ୍ଡିପୀଠ । ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ଜାରି ରହିଥିବା ବେଳେ ଏହାର କୌଣସି ନିଷ୍କର୍ସ ବାହାରି ପାରିନାହିଁ । ତେଣୁ ଏହାର ଶୁଣାଣି ପ୍ରକ୍ରିୟା ସାମ୍ବିଧାନିକ ଖଣ୍ଡପୀଠରେ ହେବା ନେଇ ସ୍ଥିର କରାଯାଇଛି । ଶିବସେନାର ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ଏକାଧିକ ଅଭିଯୋଗ ସହ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ।
ଆଜି ଏହି ମାମଲାର ଶୁଣାଣି, ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣା, ଜଷ୍ଟିସ କ୍ରିଷ୍ଣା ମୁରାରୀ ଓ ଜଷ୍ଟିସ ହିମା କୋଲହିଙ୍କୁ ନେଇ ଗଠିତ 3 ଜଣିଆ ଖଣ୍ଡିପୀଠଙ୍କ ଦ୍ବାରା କରାଯାଇଥିଲେ । ଆଜି ଶୁଣାଣିରେ ଏହି ମାମଲାକୁ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଛି । (SC sends Maharashtra political petitions to 5 judge Constitution bench)। ମିଳିଥିବା ସୂଚନା ଅନୁସାରେ ସାମ୍ବିଧାନିକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଅଗଷ୍ଟ 25 ରୁ ଆରମ୍ଭ ହେବ।
ଅନ୍ୟ ଏକ ନିର୍ଦ୍ଦେଶ ଅନୁସାରେ ସାମ୍ବିଧାନିକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇ କୌଣସି ରାୟ ପ୍ରକାଶ ପାଇବା ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ଗ୍ରହଣ କରିପାରିବେ ନାହିଁ । ଶିବସେନାରୁ ପୃଥକ ହୋଇ ବିଜେପି ସହ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ଶିବସେନା ବୋଲି ଦାବି କରିଥିଲା । ତାଙ୍କ ଗୋଷ୍ଠୀକୁ ଶିବସେନାର ମାନ୍ୟତା ସହ ଦଳୀୟ ଚିହ୍ନ ମଧ୍ୟ ପ୍ରଦାନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଦାବି କରିଛି ସିନ୍ଧେ ଗୋଷ୍ଠୀ ।