ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲା । ଆଜି(ଗୁରୁବାର) ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଘଟଣାର ବିସ୍ତୃତ ରିପୋର୍ଟ କୋର୍ଟରେ ଗୋଟିଏ ଦିନ ଅର୍ଥାତ ଶୁକ୍ରବାର ଦାଖଲ କରିବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ରିପୋର୍ଟରେ ମୃତକଙ୍କ ସମ୍ପର୍କରେ ସୂଚନା ସହିତ FIR, କିଏ ହୋଇଛନ୍ତି ଗିରଫ, ଯାଞ୍ଚ ଆୟୋଗ ଆଦି ତମାମ ପ୍ରସଙ୍ଗରେ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ନିର୍ଦ୍ଦେଶ ଦେଇଛନ୍ତି ଘଟଣାରେ ମୃତ୍ୟୁ ଘଟିଥିବା ଚାଷୀ ଲବପ୍ରୀତ ସିଂଙ୍କ ମା'ଙ୍କ ଚିକିତ୍ସା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉ । କାରଣ ଲବପ୍ରୀତଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ମା'ଙ୍କୁ ଗଭୀର ଝଟକା ଲାଗିଥିଲା । ସେବେଠାରୁ ସେ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି । ୟୁପି ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଗରିମା ପ୍ରସାଦ କହିଛନ୍ତି ଯେ ସରକାର ଏହି ମାମଲାରେ FIR ଦାଏର କରିଛନ୍ତି । ସେପଟେ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ବାବଧାନରେ ଏକ ଯାଞ୍ଚ ଟିମ ମଧ୍ୟ ଗଠନ କରିଛନ୍ତି ।
ଏହା ବି ପଢନ୍ତୁ:ଉତ୍ତର ପ୍ରଦେଶରେ ଉତ୍ତେଜନା: ଚାଷୀଙ୍କୁ ଧକ୍କା ଦେଲା ବେକାବୁ କାର, ହିଂସାରେ 8 ମୃତ