ଓଡିଶା

odisha

3ବର୍ଷରେ ବିଜ୍ଞାପନରେ ଲାଗିଛି ହଜାରେ କୋଟି, ରାପିଡ୍‌ ରେଳ ପ୍ରକଳ୍ପ ପାଇଁ 400 କୋଟି ଦେବାକୁ ଆପ୍ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

By

Published : Jul 24, 2023, 10:25 PM IST

ଦିଲ୍ଲୀ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ତାଗିଦ । ବିଜ୍ଞାପନ ବାବାଦକୁ ଗତ 3 ବର୍ଷରେ ଖର୍ଚ୍ଚ କରିଛନ୍ତି 1 ହଜାର କୋଟି । ରାପିଡ ରେଳ ପ୍ରକଳ୍ପ ପାଇଁ ତୁରନ୍ତ 4ଶହ କୋଟି ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

Delhi: ଦିଲ୍ଲୀ ସରକାରଙ୍କୁ ସୁପ୍ରିମ ଛାଟ, ରାପିଡ ରେଳ ପାଇଁ 4 ଶହ କୋଟି ଦେବାକୁ ନିର୍ଦ୍ଦେଶ
Delhi: ଦିଲ୍ଲୀ ସରକାରଙ୍କୁ ସୁପ୍ରିମ ଛାଟ, ରାପିଡ ରେଳ ପାଇଁ 4 ଶହ କୋଟି ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ:ବିଜ୍ଞାପନରେ ମାତ୍ରାଧିକ ଖର୍ଚ୍ଚ କରିଛନ୍ତି ଦିଲ୍ଲୀ ସରକାର । ହେଲେ ରାପିଡ ରେଳ ପ୍ରୋଜେକ୍ଟ ପାଇଁ ବଜେଟ ଅଭାବରୁ ଅର୍ଥ ବରାଦ କରୁନଥିବା ଅଭିଯୋଗ ସମ୍ପର୍କିତ ମାମଲାରେ ପୂର୍ବରୁ ଦିଲ୍ଲୀକୁ ତାଗିଦ୍‌ କରିଥିଲେ ସର୍ବୋଚ୍ଚ କୋର୍ଟ । ଗତ ତିନି ବର୍ଷରେ ବିଜ୍ଞାପନ ବାବଦରେ ଦିଲ୍ଲୀରେ କେତେ ଖର୍ଚ୍ଚ କରାଯାଇଛି, ସେ ସମ୍ପର୍କିତ ତଥ୍ୟ ଦାଖଲ କରିବା ପାଇଁ ସର୍ବୋଚ୍ଚ କୋର୍ଟ କହିଥିଲେ ।

ଆଜି ଏହି ମାମଲାରେ କୋର୍ଟ ପୁଣି ଦିଲ୍ଲୀ ସରକାରଙ୍କୁ ତାଗିଦ କରିବା ସହ ସହରାଞ୍ଚଳ ଦ୍ରୁତ ରେଳ ପ୍ରକଳ୍ପ ପାଇଁ 415 କୋଟିର ପାଣ୍ଠି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସରକାର କୋର୍ଟଙ୍କୁ ବିଜ୍ଞାପନ ଖର୍ଚ୍ଚ ରାଶି ଅବଗତ କରିବା ସହ ଏହି ପ୍ରକଳ୍ପ ପାଇଁ ରାଶି ପ୍ରଦାନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ସେହିପରି କୋର୍ଟ ମାଗିଥିବା ବିଜ୍ଞାପନ ସମ୍ପର୍କିତ ଖର୍ଚ୍ଚ ତଥ୍ଯ ଦାଖଲ କରି ଦିଲ୍ଲୀ ସରକାର କହିଛନ୍ତି, ଗତ 3ବର୍ଷ ମଧ୍ୟରେ ଦିଲ୍ଲୀରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କିତ ବିଜ୍ଞାପନ ବାବଦକୁ ମୋଟ 1073.16 କୋଟି ଖର୍ଚ୍ଚ ହେଇଛି ।

ସୁପ୍ରିମକୋର୍ଟ ଆଜି (ସୋମବାର) ଏହି ମାମଲାରେ ଶୁଣାଣି କରି ଦିଲ୍ଲୀ ସରକାରଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ । ଦିଲ୍ଲୀ ସରକାରଙ୍କ ଖର୍ଚ୍ଚ ରାଶି ସମ୍ପର୍କରେ ଅବଗତ ହେବା ପରେ କୋର୍ଟ କହିଥିଲେ, ସରକାର ବିଜ୍ଞାପନରେ ଏତେ ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାପିଡ ରେଳ ପ୍ରକଳ୍ପ ଭଳି ଜରୁରୀ ସେବାରେ କିପରି ଅର୍ଥ ଆବଣ୍ଟନ କଲେ ନାହିଁ । ତେଣୁ ସରକାର ପ୍ରକଳ୍ପର ନିର୍ଦ୍ଧାରିତ ଦୁଇଟି ରୁଟ୍‌ ଦିଲ୍ଲୀ-ଅଲୱାର ଏବଂ ଦିଲ୍ଲୀ-ପାନିପଥ ଦ୍ରୁତ ରେଳ ପ୍ରକଳ୍ପ ପାଇଁ ତୁରନ୍ତ 415 କୋଟି ଟଙ୍କା ମଞ୍ଜୁର କରନ୍ତୁ । ଦିଲ୍ଲୀ ସରକାର ମଧ୍ୟ କୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବା ପାଇଁ କୋର୍ଟଙ୍କୁ ନିଶ୍ଚିତ କରିଛି ।

ଏହା ମଧ୍ୟ ପଢନ୍ତୁ:-Delhi ordinance row: 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ଗଲା ମାମଲା

ଆଜି ମାମଲାର ଶୁମାଣି, ସୁପ୍ରିମକୋର୍ଟର ଜଷ୍ଟିସ ଏସ.କେ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ନେତୃତ୍ବାଧୀନ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା । ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ ପାର୍ଟି ସରକାର ଗତ 3 ବର୍ଷ ମଧ୍ୟରେ ବିଜ୍ଞାପନ ପାଇଁ 1073.16 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଜାଣିବା ପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ସରକାର ତୁରନ୍ତ ପାଣ୍ଠି ଯୋଗାନ୍ତୁ ବୋଲି କହିଥିଲେ ।

ରାପିଡ୍ ରେଳ ପ୍ରକଳ୍ପ କ’ଣ:-

ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଯାତ୍ରୀ ପରିବହନରେ ଉନ୍ନତି ଆଣିବା ପାଇଁ ରାପିଡ୍ ରେଳ ସେବା ନିର୍ମାଣ କାର୍ଯ୍ୟ ଚାଲିଛି । ରାପିଡ୍ ରେଳ ପ୍ରକଳ୍ପ ଅଧୀନରେ ଦିଲ୍ଲୀରୁ ମିରଟ୍ ସଂଯୋଗ ହେବ । ଯାହା କାର୍ଯ୍ୟକ୍ଷମ ହେବା ପରେ ରାଜଧାନୀ ଦିଲ୍ଲୀ ମିରଟ ମଧ୍ୟରେ ଯାତ୍ରା ମାତ୍ର 50 ମିନିଟରେ ଶେଷ ହେବ । ଏହି ପ୍ରକଳ୍ପ NCRTC ଅର୍ଥାତ୍ ଜାତୀୟ ରାଜଧାନୀ ଆଞ୍ଚଳିକ ପରିବହନ ନିଗମ ମାଧ୍ୟମରେ ନିର୍ମାଣ କରାଯାଉଛି । ମୋଟ 30,274 କୋଟି ଟଙ୍କା ବ୍ୟୟରେ ଦିଲ୍ଲୀ ମିରଟ ରାପିଡ କରିଡର ନିର୍ମାଣ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details