ଓଡିଶା

odisha

Bihar Caste Survey: ସୁପ୍ରିମକୋର୍ଟଙ୍କ ନୋଟିସ, ଜାତିଭିତ୍ତିକ ଜନଗଣନା ତଥ୍ୟ ଜାରି କରିବ ରାଜ୍ୟ

By ETV Bharat Odisha Team

Published : Oct 6, 2023, 4:23 PM IST

ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିପାରିବ ବିହାର । ଅଧିକ ପଢନ୍ତୁ

Bihar Caste Survey
Bihar Caste Survey

ନୂଆଦିଲ୍ଲୀ:ନିକଟରେ ବିହାର ସରକାର ଜାତିଭିତ୍ତିକ ଜନଗଣନା ତଥ୍ୟ ଜାରି କରିଥିଲେ । ଏହି ତଥ୍ୟ ଉପରେ ରୋକ ଲଗାଇବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଯାହାକୁ ଅଗ୍ରାହ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଫଳରେ ଜାତିଗତ ଜନଗଣନା ତଥ୍ୟ ଉପରେ ରୋକ ଲଗାଇନାହାନ୍ତି କୋର୍ଟ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀରେ ହେବ ବୋଲି ଜଣାପଡ଼ିଛି ।

ପାଟନା ହାଇକୋର୍ଟ ଏହି ଜନଗଣନା ଜାରି ରଖିବା ଲାଗି ଅଗଷ୍ଟ 1 ତାରିଖରେ ରାୟ ଶୁଣାଇଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇ ଏନେଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଜାତିଭିତ୍ତିକ ସର୍ଭେର ତଥ୍ୟକୁ ସାର୍ବଜନୀନ ନ କରିବା ଲାଗି ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଆଜି ଏହି ଆବେଦନକୁ ଖାରଜ କରି ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ନେତୃ୍ତ୍ବାଧୀନ ବେଞ୍ଚ କହିଛନ୍ତି, "ଆମେ କୌଣସି ରାଜ୍ୟ ସରକାରଙ୍କୁ ନୀତି ପ୍ରସ୍ତୁତ କରିବା ବା ଏହା ଉପରେ କାମ କରିବା ଉପରେ ରୋକ ଲଗାଇ ପାରିବୁ ନାହିଁ । "

ଏହା ବି ପଢନ୍ତୁ- Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ, ଲୋକସଂଖ୍ୟା 13 କୋଟି

ଆବେଦନକାରୀଙ୍କ ଆଇନଜୀବୀ ଅପରାଜିତା ସିଂ ଶୁଣାଣି ବେଳେ କୋର୍ଟଙ୍କୁ କହିଥିଲେ,"ଏହି ମାମଲାରେ ପାଟନା ହାଇକୋର୍ଟଙ୍କ ରାୟ ଭୁଲ୍‌ । ଜାତିଭିତ୍ତିକ ସର୍ଭେ ରିପୋର୍ଟକୁ ରାଜ୍ୟ ସରକାର ସାର୍ବଜନୀନ କଲେ ଏହାଦ୍ବାରା କିଛି ବ୍ୟକ୍ତିଗତ ତଥ୍ୟ ସର୍ବସମ୍ମୁଖରେ ପ୍ରକାଶ ପାଇବ । ଯାହାକି ଗୋପନୀୟତାର ଉଲ୍ଲଙ୍ଘନ ।" ଏହାର ଉତ୍ତରରେ ବେଞ୍ଚ କହିଥିଲେ ଯେ ଯେତେବେଳ ପର୍ଯ୍ୟନ୍ତ ସର୍ଭେ ରିପୋର୍ଟରେ କୌଣସି ବ୍ୟକ୍ତିବିଶେଷଙ୍କ ନାମ ଓ ପରିଚୟ ପ୍ରକାଶ କରାଯାଇନାହିଁ ସେପର୍ଯ୍ୟନ୍ତ ଏହାକୁ ଗୋପନୀୟତାର ଉଲ୍ଲଙ୍ଘନ କହିବା ଅନୁଚିତ ।

ଏହା ବି ପଢନ୍ତୁ- Bihar Caste Survey Report: ପ୍ରଧାନମନ୍ତ୍ରୀ କହିଲେ ଦେଶକୁ ବିଭାଜନ କରିବାର ପ୍ରୟାସ କରୁଛନ୍ତି ବିରୋଧୀ

ଅକ୍ଟୋବର 2 ତାରିଖରେ ବିହାର ସରକାର ସର୍ଭେ ରିପୋର୍ଟ ପ୍ରକାଶ କରିଥିଲେ । ଏହି ରିପୋର୍ଟରେ ଦର୍ଶାଯାଇଥିଲା ଯେ ବିହାରର ମୋଟ ଜନସଂଖ୍ୟାର 63 ପ୍ରତିଶତ ପଛୁଆ ବର୍ଗ (OBC) ଏବଂ ଆର୍ଥିକ ପଛୁଆ ବର୍ଗ (EBC) ରହିଛନ୍ତି । ସୂଚନା ଥାଉ କି ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଥିଲା । ରାଜ୍ୟର ମୋଟ ଜନସଂଖ୍ୟାର 36 ପ୍ରତିଶତ ଅତ୍ୟଧିକ ପଛୁଆ ବର୍ଗ ଓ 27.1 ପ୍ରତିଶତ ପଛୁଆ ବର୍ଗ ଭାବେ ରିପୋର୍ଟରେ ସ୍ଥାନ ପାଇଛନ୍ତି । ସେହିପରି 19.7 ପ୍ରତିଶତ ଅନୁସୂଚୀତ ଜାତି ଓ ମାତ୍ର 1.7 ପ୍ରତିଶତ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଲୋକେ ବିହାର ବାସ କରୁଥିବା ରିପୋର୍ଟରେ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details