ନୂଆଦିଲ୍ଲୀ:ହିଜାବ ବିବାଦ ମାମଲାରେ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ । କର୍ଣ୍ଣାଟକ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି ଯାଏଁ ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ ।
ହିଜାବ ପ୍ରସଙ୍ଗକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ଯାହା ଘଟୁଛି ଆମେ ସେ ସମ୍ପର୍କରେ ଅବଗତ ଅଛୁ । ଦିଲ୍ଲୀକୁ ଆଣିବା ନିମନ୍ତେ ଏହା କ’ଣ ଜାତୀୟ ସ୍ତରର ଘଟଣା। ଏହାକୁ ଜାତୀୟ ପ୍ରସଙ୍ଗ ନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଠିକ୍ ସମୟରେ ଏହାର ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । କର୍ଣ୍ଣାଟକ ହାଇକୋର୍ଟ ପକ୍ଷରୁ ଗତକାଲି (ଗୁରୁବାର) ଏହି ମାମଲାର ଶୁଣାଣି କରାଯାଇ ଶିକ୍ଷାନୁଷ୍ଠାନ ଖୋଲିବାକୁ କୁହାଯିବା ସହ ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ୟୁନିଫର୍ମ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।