ନୂଆଦିଲ୍ଲୀ: 12 ବିଜେପି ବିଧାୟକଙ୍କୁ ଏକ ବର୍ଷ ଧରି କରାଯାଇଥିବା ନିଲମ୍ବନ ମାମଲାରେ ଆଜି(ଶୁକ୍ରବାର) ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମହାରାଷ୍ଟ୍ର ବିଧାନସଭାର ୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିବା ସହିତ ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଓ ଇଚ୍ଛାଧୀନ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବିଧାନସଭା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସମ୍ପୃକ୍ତ ୧୨ ବିଧାୟକଙ୍କୁ ଏକ ବର୍ଷ ପାଇଁ ନିଲମ୍ବନ କରାଯାଇଥିଲା ।
୨୦୨୧ ଜୁଲାଇ ୫ରୁ ସମ୍ପୃକ୍ତ ବିଧାୟକଙ୍କୁ ଶୀତଅଧିବେଶନ ଚାଲିଥିବା ସମୟରେ ବିଧାନସଭାରୁ ନିଲମ୍ବିତ କରାଯାଇଥିଲା । ବିଧାନସଭା ଅଧିକାରୀ ଭାସ୍କର ଯାଦବଙ୍କୁ ବାଚସ୍ପତି ଚାମ୍ବରରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ବିଧାୟକମାନଙ୍କୁ ନିଲମ୍ବନ କରିବା ପ୍ରସ୍ତାବ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନିଲ ପରବଙ୍କ ଦ୍ବାରା ଅନୁମୋଦିତ ହୋଇଥିବାବେଳେ ଭଏସ ଭୋଟରେ ପାରିତ ହୋଇଥିଲା । ଏହାପରେ ବିଧାନସଭାର ଏ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୨୨ ୨୦୨୧ରେ ମାମଲାର ଶୁଣାଣି ପାଇଁ ଆବେଦନ କରିଥିଲେ ନିଲମ୍ବିତ ବିଧାୟକ ।