ହାଇଦ୍ରାବାଦ:ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ରାମଚରିତମାନସ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ଦେବା ମାମଲା ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ଦିଲ୍ଲୀର ଜଣେ ଆଇନଜୀବୀ ଏହି ଘଟଣାରେ ସର୍ବୋଚ୍ଚ କୋର୍ଟରେ ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ମନ୍ତ୍ରୀ ସାମ୍ପ୍ରଦାୟିକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହା ସମାଜରେ ଘୃଣା ସୃଷ୍ଟି କରିବା ସହ ଧର୍ମୀୟ ସଦଭବନା ନଷ୍ଟ କରିବା ପରି । ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୋଲିସକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି ।
ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ସର୍ବୋଚ୍ଚ କୋର୍ଟରେ ଏହି ଆବେଦନ କରିଛନ୍ତି । ଆବେଦନରେ ଆବେଦନକାରୀ ଭିନିତ୍ ଉଲ୍ଲେଖ କରିଛନ୍ତି, ‘‘ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଗମ୍ଭୀର ଅପରାଧିକ ଶ୍ରେଣୀରେ ଆସୁଛି ।" ଭାରତୀୟ ଦଣ୍ଡବିଧି ଆଇନର ଧାରା-153A, B, 295, 298 ଓ 505 ରେ ଏପରି କାର୍ଯ୍ୟକଳାପ ବା ଟିପ୍ପଣୀକୁ ଦଣ୍ଡନୀୟ ଅପରାଧ ଭାବେ ସ୍ଥାନିତ କରାଯାଇଛି । ଏହି ଘଟଣାରେ ତାଙ୍କ ବିରୋଧରେ ପୋଲିସକୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ଆଇନଜୀବୀ ନିଜ ପିଟିସନରେ ଦର୍ଶାଇଛନ୍ତି ।
ନାଳନ୍ଦା ବିଶ୍ବବିଦ୍ୟାଳୟର ୧୫ତମ ଦୀକ୍ଷାନ୍ତ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ରାମାୟଣର କଥାବସ୍ତୁକୁ ନେଇ ବିବାଦୀୟ ବୟାନ ଦେଇଥିଲେ ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର । ସେ କହିଥିଲେ, ରାମଚରିତମାନସ, ମନୁସ୍ମୃତି ଓ ବଞ୍ଚ-ଅଫ୍- ଥଟ୍ ପୁସ୍ତକ ସମାଜରେ ଜାତିଗତ ଭେଦଭାବ ସୃଷ୍ଟି କରୁଛି । ପ୍ରଥମ ଦୁଇଟି ଗ୍ରନ୍ଥକୁ ତୁଳସୀ ଦାସ ରଚନା କରିଥିବା ବେଳେ ତୃତୀୟ ପୁସ୍ତକଟି ସ୍ବଂୟ ସେବକ ସଂଘର ଦ୍ବିତୀୟ ପ୍ରମୁଖ ମାଧବରାଓ ସଦାଶିବରାଓ ଗୋଲଓ୍ବାଲକରଙ୍କ ଦ୍ବାରା ରଚନା ହୋଇଛି ।