ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଜାରି ଉତ୍ତେଜନା ଏବେ ଚରମ ସ୍ଥିତିରେ ରହିଛି । ବିଜେପି ଓ ଟିଏମସି ମଧ୍ୟରେ ଜାରି ଏହି ବିବାଦ ପଶ୍ଚିମବଙ୍ଗରୁ ଦିଲ୍ଲୀ ଦେଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିସାରିଛି । ମମତା ବାନାର୍ଜୀ ସରକାରଙ୍କ ମନଇଚ୍ଛା ଶାସନକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଅନେକ ବିଜେପି ନେତା । ତେବେ ଏହା ଉପରେ ଏବେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଜାରି କରିଛନ୍ତି ନୋଟିସ ।
ବିଜେପିର ଅନେକ ବରିଷ୍ଠ ନେତା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ମମତା ବାନାର୍ଜୀ ସରକାରଙ୍କ ଉପରେ ଜାଣିଶୁଣି ବିରୋଧୀ ନେତାଙ୍କ ବିରୋଧରେ ନୂଆ ନୂଆ ମାମଲା ରୁଜୁ କରୁଥିବା ଅଭିଯୋଗ କରିଛନ୍ତି । ମାମଲାର ଶୁଣାଣି କରି ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ଆଗାମୀ ଆଦେଶ ପର୍ଯ୍ୟନ୍ତ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି କୋର୍ଟ ।