ହାଇଦ୍ରାବାଦ:ପୂର୍ବ ପ୍ରଚଳିତ କଲେଜିୟମ ବ୍ୟବସ୍ଥାରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ନେଇ ନ୍ୟାୟପାଳିକା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତାନ୍ତର ବଢିବାରେ ଲାଗିଛି । ଏହାରି ମଧ୍ୟରେ ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଏକ ଗଣମାଧ୍ୟମ ସାକ୍ଷାତକାରର ଭିଡିଓ କ୍ଲିପ୍ ଟ୍ବିଟ୍ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ । ଉକ୍ତ ପ୍ରତିକ୍ରିୟାରେ ପୂର୍ବତନ ବିଚାରପତିଜଣଙ୍କ କଲେଜିୟମ ବ୍ୟବସ୍ଥାରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ସମ୍ବିଧାନ ବିରୋଧୀ ବୋଲି ମତ ରଖୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ସର୍ବୋଚ୍ଚ କୋର୍ଟ ସମ୍ବିଧାନକୁ ହାଇଜାକ କରିନେଇଥିବା ବିଚାରପତିଜଣଙ୍କ ପ୍ରତିକ୍ରିୟାରେ କହୁଛନ୍ତି । ଯେଉଁ ସାକ୍ଷାତକାରର ଏକ ଭିଡିଓ କ୍ଲିପ୍ ନିଜ ଟ୍ବିଟ୍ଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ । ଏହା ଜଣେ ବିଚାରପତିଙ୍କ ସ୍ବର ବୋଲି ଲେଖିବା ସହ ପରୋକ୍ଷ ଭାବେ ସେ ପୁଣି କଲେଜିୟମ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ।
ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଚିସ ଆର.ଏସ ସୋଧି ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟକୁ ପ୍ରତିକ୍ରିୟାରେ କହିଛନ୍ତି,"ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା କିପରି ହେବ, ସେନେଇ ସମ୍ବିଧାନରେ ପ୍ରଥମରୁ ନିୟମ ରହିଛି । ସେଥିରେ ସଂଶୋଧନ କରିବାର କ୍ଷମତା କେବଳ ସଂସଦର ରହିଛି । କିନ୍ତୁ ବର୍ତ୍ତମାନ ସମୟରେ ସର୍ବୋଚ୍ଚ କୋର୍ଟ ସମ୍ବିଧାନକୁ ହାଇଜାକ କରିନେଇଛି । ହାଇକୋର୍ଟଗୁଡିକ ସର୍ବୋଚ୍ଚ କୋର୍ଟ ଅଧୀନରେ କାର୍ଯ୍ୟ କରିବା ପରି ମନେ ହେଉଛି, ଯାହା ଅନୁଚିତ । ହାଇକୋର୍ଟଗୁଡିକ ସୁପ୍ରିମକୋର୍ଟଙ୍କ ଅଧୀନରେ ନୁହଁନ୍ତି ବରଂ ସେମାନେ ସମ୍ପୃକ୍ତ ରାଜ୍ୟର ସର୍ବୋଚ୍ଚ ନ୍ୟାୟପାଳିକା ସଂସ୍ଥା । କିନ୍ତୁ ବର୍ତ୍ତମାନର ନ୍ୟାୟିକ ନିଯୁକ୍ତି ବ୍ୟବସ୍ଥା ଏପରି ଯେ, ହାଇକୋର୍ଟର ବିଚାରପତିମାନେ ନିଜକୁ ସୁପ୍ରିମକୋର୍ଟଙ୍କ ଅଧୀନ ବୋଲି ମନେ କରୁଛନ୍ତି ।"