ନୂଆଦିଲ୍ଲୀ: ଦିଲ୍ଲୀ ଓ NCR ଅଞ୍ଚଳରେ ନିୟନ୍ତ୍ରଣ ବାହାରେ ଥିବା ବାୟୁ ପ୍ରଦୂଷଣ ନେଇ ସର୍ବୋଚ୍ଚ କୋର୍ଟଙ୍କ ଉଦବେଗ । ସୁପ୍ରିମକୋର୍ଟ ଆଜି (ଗୁରୁବାର) କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ତତ୍କାଳ ପ୍ରଭାବୀ ପଦକ୍ଷେପ ନେବା ପାଇଁ ୨୪ ଘଣ୍ଟାର ସମୟ ସୀମା ସହ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ବରେ ଜଷ୍ଟିସ ଡି.ଏଚ ଚନ୍ଦ୍ରଚୁଡ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମସ୍ତ ପ୍ରୟାସ ପରେ ମଧ୍ୟ ଦିଲ୍ଲୀର ବାୟୁ ଗୁଣବତ୍ତାରେ ସୁଧାର ନଆସିବା ନେଇ ଚିନ୍ତା ପ୍ରକଟ କରିବା ସହ ଖଣ୍ଡପୀଠ ଉଭୟ ସରକାରଙ୍କୁ ୨୪ ଘଣ୍ଟା ମଧ୍ୟରେ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାୟୁ ଗୁଣବତ୍ତା ପରିଚାଳନା ପାଇଁ ଆୟୋଗ ଗଠନ ହୋଇଥିଲେ ସୁଦ୍ଧା ପ୍ରତିଷେଧକ ମୂଳକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉ ନଥିବା କହି କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ ।