ନୂଆଦିଲ୍ଲୀ/ଇମ୍ଫାଲ:ମଣିପୁରରେ ଜାରି ରହିଥିବା ହିଂସା ସମ୍ପର୍କରେ ଅପଡେଟେଡ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ମଣିପୁର ସରକାରଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ କରିସାରିଥିଲେ ପ୍ରଦେଶ ସରକାର । ଏବେ ହିଂସା ସ୍ଥିତିରେ ସାମାନ୍ୟ ନିୟନ୍ତ୍ରଣ ଆସିବା ସହ ସ୍ଥିତି କ୍ରମଶଃ ସ୍ବାଭାବିକ ହେଉଥିବା ସରକାର କୋର୍ଟଙ୍କୁ ଅବଗତ କରିଥିଲେ । କୋର୍ଟ ହିଂସାର ତାଜା ସ୍ଥିତି ସମ୍ପର୍କରେ ଏକ ସଦ୍ୟତମ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଶୁଣାଣିରେ ମଣିପୁର ସରକାରଙ୍କ ପକ୍ଷରୁ ସଲିସେଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ । ରାଜ୍ୟରେ ସ୍ଥିତିରେ ସୁଧାର ଆସିଥିବା ଓ ମନ୍ଥର ଗତିରେ ଶାନ୍ତି ଫେରିବାରେ ଲାଗିଥିବା କୋର୍ଟଙ୍କୁ ସରକାରୀ ଓକିଲ ଅବଗତ କରିଥିଲେ । ତେବେ ସରକାର ହିଂସା ରୋକିବା ଦିଗରେ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ଥିତି କ’ଣ ଓ ହିଂସା କ୍ଷୟକ୍ଷତି ସମ୍ପର୍କିତ ଅନ୍ୟ ସମସ୍ତ ସଦ୍ୟତମ ତଥ୍ୟ କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି । ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଡୂଡଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ହୋଇଥିଲା ।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୋଲିନ ଗୋନସାଲଭେସ ମାମଲାରେ ପକ୍ଷ ରଖି ଏବେ ମଧ୍ୟ ମଣିପୁରରେ ସ୍ଥିତି ଅତି ଗମ୍ଭୀର ଥିବା କୋର୍ଟଙ୍କୁ ଅବଗତ କରିଥିଲେ । ଉଭୟ ସମ୍ପ୍ରଦାୟ ଓ ଉଗ୍ରବାଦୀଙ୍କ ମଧ୍ୟରେ ଆକ୍ରମଣ ଜାରି ରହିଛି । ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ହିଂସା ରୋକିବାରେ ସଫଳ ହେଉନାହାନ୍ତି ବୋଲି ଆବେଦନକାରୀ ଓକିଲ ଯୁକ୍ତି ବାଢିଥିଲେ । ଜବାବରେ କୋର୍ଟ ସରକାରୀ ପକ୍ଷଙ୍କଠାରୁ ଉତ୍ତର ଚାହିଁଥିଲେ । ସଲିସେଟର ଜେନେରାଲ ମେହେଟ୍ଟା କହିଥିଲେ, ରାଜ୍ୟରେ ପୂର୍ବାପେକ୍ଷା ସ୍ଥିତିରେ ସୁଧାର ଆସିଛି । ଧୀରେଧୀରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ରାଜ୍ଯରେ ରାଜ୍ୟ ପୋଲିସ, ଇଣ୍ଡିଆନ ରିଜର୍ଭ ବାଟାଲିୟନ ସମେତ ପ୍ରାୟ 114 କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ।