ନୂଆଦିଲ୍ଲୀ:ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୋପନୀୟ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ପୂର୍ବତନ ସ୍ଥଳସେନା ମୁଖ୍ୟ ଭି.କେ ସିଂଙ୍କ ବିରୋଧରେ ମାମଲା ହୋଇଥିଲା । ଏହାକୁ ରଦ୍ଦ କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ ଭି.କେ ସିଂ । ତେବେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବା ପାଇଁ ମନା କରିଦେଇଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସିଂ ଦିଲ୍ଲୀ ହାଇକୋର୍ଟରେ ମଧ୍ୟରେ ମାମଲା କରିଥିଲେ । ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ମାମଲାକୁ ଖାରଜ କରିଦେଇଥିଲେ । ପରେ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ । ଆଜି ଜେନେରାଲ ସିଂ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାବନୀ ସର୍ବୋଚ୍ଚ କୋର୍ଟରେ ପକ୍ଷ ରଖିଥିଲେ । ଜଷ୍ଟିସ ବି.ଆର ଗଭାଇ ଓ ପ୍ରଶାନ୍ତ କୁମାର ମିଶ୍ରଙ୍କ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ ।
କଣ ଥିଲା ମାମଲା: 2007ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ଗମ୍ଭୀର ଅଭିଯୋଗ ସହ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଜେନେରାଲ ସିଂ ଲେଖିଥିବା ନିଜ ପୁସ୍ତକ ‘ଇଣ୍ଡିଆଜ ଏକ୍ସଟର୍ନାଲ ଇଣ୍ଟେଲିଜେନ୍ସି- ସିକ୍ରେଟ ଅଫ ‘ର’’ରେ ଦେଶର ସୁରକ୍ଷା ସମ୍ପର୍କିତ ଅନେକ ଗୋପନୀୟ ତଥ୍ୟ ପ୍ରଘଟ କରିଥିବା ଅଭିଯୋଗ ହୋଇଥିଲା । ଏହି ପୁସ୍ତକରେ ଭାରତର ଅନ୍ତର୍ଜାତୀୟ ଗୁଇନ୍ଦା ସଂସ୍ଥା ‘ର’ ଦୁର୍ନୀତିର କଥା ଉଲ୍ଲେଖ ମଧ୍ୟ କରାଯାଇଥିଲା ।
ସିଂଙ୍କ ପୁସ୍ତକ ରିଲିଜ ହେବା ପରେ ତତ୍କାଳୀନ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ ବି.ଭଟ୍ଟାଚାର୍ଯ୍ୟ ଅଫିସିଆଲ ଗୋପନୀୟତା ଅଧିନିୟମ (ଅଫିସିଆଲ ସିକ୍ରେଟ ଆକ୍ଟ)ରେ ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇ ଏକ ମାମଲା ଦାଏର କରିଥିଲେ । ଏହି ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁୁରୋ (ସିବିଆଇ)କୁ ହସ୍ତାନ୍ତର କରାଯାଇଥିଲା । ସେହିବର୍ଷ (2007) ସେପ୍ଟେମ୍ବର 20 ତାରିଖରେ ସିବିଆଇ ଜେନେରାଲ ସିଂଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଯାହା ବିରୋଧରେ ନେଇ ପରେ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଥିଲେ ବି.କେ ସିଂ ।