ନୂଆଦିଲ୍ଲୀ: ପେଗାସସ୍ ଝଡରେ କମ୍ପୁଛି ସଡକରୁ ସଂସଦ । ଏହାରି ମଧ୍ୟରେ ସୁପ୍ରିମକୋର୍ଟରେ ହୋଇଛି ମାମଲାର ଶୁଣାଣି । ମାମଲାରେ ତମାମ ଯାଚିକା କର୍ତ୍ତାଙ୍କ ଦଲିଲ ଶୁଣିଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ । ୧୦ ଅଗଷ୍ଟକୁ ଘୁଞ୍ଚିଛି ଏହି ଶୁଣାଣି ।
ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଏହି ଖବର ସତ ତେବେ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର ଅଟେ। ଏ ବିଷୟରେ କୌଣସି ପ୍ରମାଣ ଅଛି କି ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀଙ୍କୁ ପ୍ରଶ୍ନ କରିଛନ୍ତି କୋର୍ଟ । ମାମଲାର ଶୁଣାଣି ଆରମ୍ଭ ହେବା ମାତ୍ରେ ପ୍ରଧାନ ବିଚାରପତି ଆବେଦନକାରୀଙ୍କ ଆଇନଜୀବୀଙ୍କୁ ପଚାରିଥିଲେ ଯେ ଖବରକାଗଜ କ୍ଲିପିଂ ବ୍ୟତୀତ ଆପଣଙ୍କ ପିଟିସନରେ କ’ଣ ଅଛି? ଆମେ କାହିଁକି ଏହା ଶୁଣାଣି କରିବା ଉଚିତ୍? ଏହା ଉପରେ ଆବେଦନକାରୀଙ୍କ ଆଇନଜୀବୀ କପିଲ ସିବଲ କହିଛନ୍ତି, ଏହା ଟେକ୍ନୋଲୋଜି ମାଧ୍ୟମରେ ଗୋପନୀୟତା ଉପରେ ଆକ୍ରମଣ। ଏହା ମଧ୍ୟ ଜାତୀୟ ଇଣ୍ଟରନେଟ ସୁରକ୍ଷାର ପ୍ରଶ୍ନ।