ନୂଆଦିଲ୍ଲୀ:ଜଷ୍ଟିସ ଉମେଶ କୁମାରଙ୍କୁ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗ (DERC)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ନେଇ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଦିଲ୍ଲୀ ସରକାର । ଆଜି ଏହାର ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ । ସର୍ବୋଚ୍ଚ କୋର୍ଟ ଏହି ମାମଲାରେ କୌଣସି ନିର୍ଦ୍ଦିଷ୍ଟ ରାୟ ଦେବା ପରିବର୍ତ୍ତେ ଉଭୟ ଉପରାଜ୍ୟପାଳ ବିନୟ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଗଡ଼ା ବନ୍ଦ କରିବା ସହ ରାଜନୈତିକ ମତଭେଦରୁ ଊର୍ଦ୍ଧ୍ବକୁ ଉଠି ଏହି ସମସ୍ୟାର ସମାଧାନ କରନ୍ତୁ ବୋଲି କହିଛନ୍ତି । କୋର୍ଟ ରହିଛନ୍ତି, ଉଭୟ ପକ୍ଷ ରାଜନୈତିକ ମତଭେଦକୁ ଉପରକୁ ଉଠି ନିଜ ମଧ୍ୟରେ ଆଲୋଚନା କରନ୍ତୁ । ଏହି ଆୟୋଗର ଅଧ୍ୟକ୍ଷ ପଦ ପାଇଁ ସହମତି ଆଧାରରେ କୌଣସି ନାମ ଚୂଡ଼ାନ୍ତ କରନ୍ତୁ ।
ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ପିଏ.ଏସ ନରସିହ୍ମା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ହୋଇଛି । କୋର୍ଟ କୌଣସି ନିର୍ଦ୍ଦିଷ୍ଟ ରାୟ ପ୍ରଦାନ କରିବା ପରିବର୍ତ୍ତେ କହିଥିଲେ, ଆମେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ ବରଂ ଆପଣ ହିଁ ଏହାର ସମାଧାନ କରନ୍ତୁ ବୋଲି ଚାହୁଁଛୁ । ଦୁଇ ସାମ୍ବିଧାନିକ ପଦାଧିକାରୀ ଏକାଠି ବସି ଆଲୋଚନା ମାଧ୍ୟମରେ ସର୍ବସମ୍ମତି ଆଧାରରେ ନିଷ୍ପତ୍ତିରେ ପହଞ୍ଚିବେ ବୋଲି କୋର୍ଟ ଆଶାବାଦୀ । ଉଭୟ ପକ୍ଷ 3ଟି ନାମ ପ୍ରସ୍ତାବ ରଖନ୍ତୁ । ସେହି ଚୂଡ଼ାନ୍ତ ନାମ ଉପରେ ଆଲୋଚନା କରି ଆୟୋଗର ଅଧ୍ୟକ୍ଷଙ୍କ ନାମ ସ୍ଥିର କରନ୍ତୁ । ଆସନ୍ତା ଗୁରୁବାର ଏହି ମାମଲାର ଶୁଣାଣି ହେବ ।