ନୂଆଦିଲ୍ଲୀ:ଦିଲ୍ଲୀ ସମେତ ଉତ୍ତର ଭାରତରେ ଦେଖାଯାଇଥିବା ବାୟୁ ପ୍ରଦୂଷଣ ସଙ୍କଟ ଚରମ ସ୍ତରରେ ପହଞ୍ଚି ଥିବାବେଳେ ବିଭିନ୍ନ କଟକଣା ସତ୍ତ୍ବେ ମଧ୍ୟ ନିୟନ୍ତ୍ରଣକୁ ଆସୁନାହିଁ । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ସମସ୍ୟା ସମ୍ପର୍କିତ ଏକ ଜରୁରୀ ବୈଠକ ଜାତୀୟ ରାଜଧାନୀ କ୍ଷେତ୍ରରେ ଆସୁଥିବା ସମସ୍ତ ରାଜ୍ୟଙ୍କ ସହ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଏହି ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରିବା ସହ ପ୍ରଭାବିତ ଉତ୍ତର ଭାରତୀୟ ରାଜ୍ୟମାନଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଭାରତରେ ଦିଲ୍ଲୀ ସମେତ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ କିଛି ଭାଗରେ ଏହି ପ୍ରଦୂଷଣ ସଙ୍କଟ ଚରମ ସ୍ତରରେ ପହଞ୍ଚିଛି ।