ନୂଆଦିଲ୍ଲୀ:ସାରା ଦେଶରେ ମେଡିକାଲ ଅମ୍ଳଜାନ ଯୋଗାଣକୁ ସୁନିଶ୍ଚିତ ଓ ସହଜ କରିବା ପାଇଁ ସୁପ୍ରିମକୋର୍ଟ 12 ସଦସ୍ୟ ବିଶିଷ୍ଟ ଜାତୀୟ ଟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଫୋର୍ସର ପ୍ରଥମ ବୈଠକ ରବିବାର ଅନୁଷ୍ଠିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ଫୋର୍ସରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ସ୍ବାସ୍ଥ୍ୟ ବିଭାଗର କିଛି ଅଧିକାରୀମାନଙ୍କୁ ସାମିଲ କରାଯାଇଛି ।
ଜାତୀୟ ଟାସ୍କ ଫୋର୍ସର ସମସ୍ତ ସଦସ୍ୟ ଅମ୍ଳଜାନ ଉତ୍ପାଦନ କ୍ଷମତା ବୃଦ୍ଧି ତଥା ଏହାକୁ ସାରା ଦେଶରେ ପହଞ୍ଚାଇବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବାରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ବାରା କରାଯାଇଥିବା ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅମ୍ଳଜାନ ଉତ୍ପାଦନ ଓ ଉପଲବ୍ଧତା ବୃଦ୍ଧି, ମେଡିକାଲ ଅମ୍ଳଜାନର ଚାହିଦାର ପରିଚାଳନା ଆଦି ସମ୍ପର୍କରେ ଫୋର୍ସର ସଦସ୍ୟମାନେ ପରାମର୍ଶ ଦେଇଛନ୍ତି। ଅକ୍ସିଜେନ ଯୋଗାଣକୁ ସଠିକ ଭାବରେ ଚାଲୁ ରଖିବା ପାଇଁ ଜାତୀୟ ଟାସ୍କ ଫୋର୍ସ ଏହାର ବିଚାର ବିମର୍ଶ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ।