ଜୟପୁର: ଇସଲାମ ଧର୍ମର ପବିତ୍ର ଧାର୍ମିକସ୍ଥଳୀ ସାଉଦି ଆରବର ମକ୍କାରେ ହଜ୍ ତୀର୍ଥ ଯାତ୍ରୀମାନଙ୍କ ପାଇଁ କୋଭିଡ୍ -19 ଟିକାକୁ ବାଧ୍ୟତାମୂଳକ କରିଛନ୍ତି ସାଉଦି ସରକାର । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ତଥା 2020 ରେ ବାର୍ଷିକ ହଜ ତୀର୍ଥଯାତ୍ରା ବାତିଲ କରାଯାଇଥିଲା । କିନ୍ତୁ ଚଳିତବର୍ଷ ହଜ ଯାତ୍ରାକୁ ଅନୁମତି ମିଳିଥିବାବେଳେ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛି ସାଉଦି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ହଜ୍ ତୀର୍ଥ ଯାତ୍ରୀମାନଙ୍କୁ ଆଣ୍ଟି-କରୋନା ଭାଇରସ୍ ଟିକା ନେବା ବାଧ୍ୟତାମୂଳକ କରିବାକୁ ସାଉଦି ଆରବ ସରକାର ନିଷ୍ପତ୍ତି ନେଇଛନ୍ତି ।
ସାଉଦି ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ, ଚଳିତ ବର୍ଷ ହଜ୍ ଯାତ୍ରା କରିବା ପାଇଁ ଆରବରେ ପହଞ୍ଚୁଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ-19 ଟିକା ଗ୍ରହଣ କରିଥିବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଲୋକମାନେ ଏହି ନିୟମ ପାଳନ କରୁନାହାଁନ୍ତି ସେମାନଙ୍କୁ ହଜ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସାଉଦି ସରକାର । ଏପରିକି ଯାତ୍ରା କରୁଥିବା ବ୍ୟକ୍ତି ନିଜ ସହିତ ଏହି କୋଭିଡ ଟିକା ନେଇଥିବା ପ୍ରମାଣପତ୍ର ମଧ୍ୟ ନେବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି ।