ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ମନି ଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ ପାଇଲେ ସତ୍ୟେନ୍ଦ୍ର ଜୈନ । ଆଜି (ଶୁକ୍ରବାର) ସର୍ବୋଚ୍ଚ ଅଦଲାତ ସ୍ବାସ୍ଥ୍ୟଗତ କାରଣରୁ ଆପ୍ ନେତାଙ୍କୁ ୬ ସପ୍ତାହ ପାଇଁ କିଛି ସର୍ତ୍ତ ଆଧାରରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ବିନା ଅନୁମତିରେ ଦିଲ୍ଲୀରୁ ବାହାରକୁ ଯିବାକୁ ଏବଂ ଗଣମାଧ୍ୟମ ଆଗରେ କୌଣସି ବୟାନ ଦେବାକୁ ତାଙ୍କୁ ବାରଣ କରାଯାଇଛି । ଏହାସହିତ ନିଜ ଇଚ୍ଛା ଅନୁସାରେ ସେ ଯେକୌଣସି ହସ୍ପିଟାଲରକୁ ଯାଇ ଚିକିତ୍ସିତ ହେବାକୁ ଅନୁମତି ଦେଇଛନ୍ତି କୋର୍ଟ । ଗତବର୍ଷ ମେ' ୩୦ରେ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ତିହାର ଜେଲରେ କଏଦ ଥିଲେ ।
ଗତକାଲି(ଗୁରୁବାର) ସତ୍ୟେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯାଇଥିଲା । ସେ ଗତକାଲି ସକାଳ ପ୍ରାୟ ୬ଟାରେ ତିହାର ଜେଲର ବାଥରୁମରେ ଅଚେତ ହୋଇଯାଇଥିଲେ । ପ୍ରଥମେ ତାଙ୍କୁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ(LNJP) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା । ଏହାପୂର୍ବରୁ ଗତ ସୋମବାର ଦିନ ମଧ୍ୟ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ହେଲେ ହସ୍ପିଟାଲରେ ଚିକିତ୍ସିତ ହୋଇ ଫେରିବା ପରେ ସେ ଠିକ୍ ଥିଲେ ।
ପୂର୍ବ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବାସ୍ଥ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ସରକାରକୁ ସମାଲୋଚନା କରିଥିଲେ । କେଜ୍ରିୱାଲ ସତ୍ୟେନ୍ଦ୍ର ଜୈନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରତିଟି ପ୍ରତିକୂଳ ପରିସ୍ଥିତି ସହ ଲଢିବାକୁ ଇଶ୍ବର ତାଙ୍କୁ ଶକ୍ତି ଦିଅନ୍ତୁ ବୋଲି କହିଥିଲେ ।