ଚଣ୍ଡିଗଡ: ନିର୍ବାଚନ ଆସିଲେ ପ୍ରାର୍ଥୀ ଓ ନେତାଏ ପ୍ରତିଶ୍ରୁତି ବର୍ଷା କରିବା ସାଧାରଣ କଥା । କିଏ ଗାଁକୁ ପକ୍କା ରାସ୍ତା ପାଇଁ ତ ଆଉ କିଏ ଘରଟିଏ ଦେବାକୁ ଭୋଟରଙ୍କୁ ପ୍ରଲୋଭନ ଦେଖାଇଥାନ୍ତି । ହେଲେ ହରିୟାଣାର ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ତାଙ୍କର ନିର୍ବାଚନ ପୋଷ୍ଟରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କର ପୋଷ୍ଟରରେ ଲେଖାଯାଇଛି, ଯଦି ସେ ସରପଞ୍ଚ ନିର୍ବାଚିତ ହୁଅନ୍ତି, ତାହାହେଲେ ଗାଁରେ ତିନୋଟି ଏୟାରପୋର୍ଟ ତିଆରି କରିବେ । ଗ୍ରାମର ସବୁ ମହିଳାଙ୍କୁ ମାଗଣାରେ ମେକଅପ୍ କିଟ୍ସ(makeup kits for women) ଦେବେ । ଗାଁ ଆଡ୍ଡାରେ ପ୍ରତିଦିନ ସରପଞ୍ଚଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ କରିବେ । ଆପଣଙ୍କୁ ଏହା ଅଜବ ଲାଗୁଥିବ ନିଶ୍ଚୟ । ମାତ୍ର ଏତିକିରେ ଏହି ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ସରିନାହିଁ ।
ତାଙ୍କର ପୋଷ୍ଟର ଆହୁରିମଧ୍ୟ ଲେଖିଛନ୍ତି ଯେ, ଗାଁରେ ପେଟ୍ରୋଲ ଲିଟର ୨୦ ଟଙ୍କା କରିଦେବେ । ଜିଏସଟି( Goods and Service Tax)କୁ ହଟାଇ ଦେବେ । ପ୍ରତି ଗ୍ୟାସ ସିଲିଣ୍ଡର ପିଛା ଦାମ୍ ୧୦୦ ଟଙ୍କା ହୋଇଯିବ । ପ୍ରତ୍ୟେକ ପରିବାରକୁ ଗୋଟିଏ ମାଗଣାରେ ବାଇକ୍ ଯୋଗାଇ ଦେବେ । ଗାଁ ସିରସଢରୁ ଦିଲ୍ଲୀକୁ ମେଟ୍ରୋ ଚଳାଚଳ କରିବ । ମାଟିତଳୁ ବିଦ୍ୟୁତ ସଂଯୋଗ ଏବଂ ଉପରୁ ପାଇପ ଲାଇନ ସଂଯୋଗ ବ୍ୟବସ୍ଥା କରିବେ । ଗାଁରେ ଫ୍ରି ୱାଇଫାଇ ସୁବିଧା କରିବେ । ଗାଁର ସବୁ ଯୁବକମାନଙ୍କୁ ସରକାରୀ ଚାକିରି ଯୋଗାଇବେ । ମଦପାନ କରୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରତିଦିନ ଗୋଟିଏ ମଦ ବୋତଲ ଦେବେ । ଗାଁରୁ ଗୋହାନାକୁ ପ୍ରତି ୫ ମିନିଟ୍ରେ ହେଲିକପ୍ଟର ଉଡିବ ବୋଲି ପୋଷ୍ଟରରେ ଲେଖିଛନ୍ତି ସରପଞ୍ଚ ପ୍ରାର୍ଥୀ ।