ନୂଆଦିଲ୍ଲୀ: ବ୍ରିଜଭୂଷଣ ଶରଣ ସିଂଙ୍କ ସହଯୋଗୀ ସଞ୍ଜୟ ସିଂ ଭାରତୀୟ କୁସ୍ତି ମହାସଂଘ (WFI)ର ସଭପତି ନିର୍ବାଚିତ ହୋଇଛନ୍ତି । ଏହା ପୂର୍ବରୁ ସେ ଉତ୍ତର ପ୍ରଦେଶ କୁସ୍ତି ମହାସଂର ଉପସଭାପତି ଥିଲେ । ସେ କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କ ସହ ପ୍ରତିଦ୍ବନ୍ଦିତା କରୁଥିଲେ । ଆଜି (ଗୁରୁବାର) ହୋଇଥିବା ସଭାପତି ପଦ ପାଇଁ ନିର୍ବାଚନରେ ସେ ଅନୀତା ଶୋରାନଙ୍କୁ ପରାସ୍ତ କରି WFIର ସଭପତି ନିର୍ବାଚିତ ହୋଇଛନ୍ତି । ନିକଟରେ ବ୍ରିଜଭୂଷଣଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନାର ମାମଲାର ଅଭିଯୋଗ ସତ୍ତ୍ବେ ସେ ସଭାପତି ପଦରୁ ଇସ୍ତଫା ଦେଇନଥିଲେ । ନିୟମିତ କାର୍ଯ୍ୟକାଳ ଶେଷ ହେବା ପରେ ହିଁ ନିର୍ବାଚନ ହୋଇଥିଲା ।
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେ ଉପସଭାପତି ପଦ ପାଇଁ ନିର୍ବାଚନ ଲଢିଥିବା ବେଳେ ପରାଜିତ ହୋଇଛନ୍ତି । ସଭାପତି ପଦ ବ୍ୟତୀତ ଜଣେ ବରିଷ୍ଠ ଉପାଧ୍ୟକ୍ଷ, 4 ଉପାଧ୍ୟକ୍ଷ, ଜଣେ ମହାସଚିବ, ଜଣେ କୋଷାଧ୍ୟକ୍ଷ, ଦୁଇ ଯୁଗ୍ମ ସଚିବ ଓ 5 କାର୍ଯ୍ୟକାରୀ ସଚିବଙ୍କ ପଦ ପାଇଁ ଏହି ନିର୍ବାଚନ ଶେଷ ହୋଇଛି ।
ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ସହ ଜଡିତ ଥିବା ସଞ୍ଜୟ ବାରଣାସୀର ବାସିନ୍ଦା । ସେ ବ୍ରିଜଭୂଷଣଙ୍କ ଘନିଷ୍ଠ ସହଯୋଗୀ ମଧ୍ୟ । ଏହି ନିର୍ବାଚନରେ ମୋଟ 47 କାର୍ଯ୍ୟକର୍ତ୍ତାଙ୍କ ଭୋଟ ମଧ୍ୟରୁ ସଞ୍ଜୟ 40 ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଅନିତାଙ୍କୁ ମାତ୍ର 7 ଖଣ୍ଡ ଭୋଟ ମିଳିଛି । ବ୍ରିଜଭୂଷଣଙ୍କ ସମର୍ଥିତ କ୍ୟାମ୍ପକୁ ସମସ୍ତ ଆସନ ଯାଇଛି । 4 ଉପସଭାପତି ପଦ ପାଇଁ ଦିଲ୍ଲୀର ଜୟପ୍ରକାଶ, ପଶ୍ଚିମବଙ୍ଗର ଅଶିତ କୁମାର ଶାହ, ପଞ୍ଜାବର କରତାର ସିଂ ଓ ମଣିପୁରର ଏନ.ଫନି ବିଜୟୀ ହୋଇଛନ୍ତି । ସେହିପରି ଉତ୍ତରାଖଣ୍ଡର ସତ୍ୟପାଲ ସିଂ ଦେଶଓ୍ବାଲ ନୂଆ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଜମ୍ମୁ କାଶ୍ମୀରର ଦୁଷ୍ଯନ୍ତ ଶର୍ମାଙ୍କୁ ପରାଜିତ କରିଛନ୍ତି । ଏହି ସମସ୍ତ ନବନିର୍ବାଚିତ ସଦସ୍ୟ ବ୍ରିଜଭୂଷଣଙ୍କ ଅନୁଗତ ଭାବେ ଜଣାଶୁଣା ।