ମୁମ୍ବାଇ:ଆଜି ଅହମ୍ମଦାବାଦରେ ଖେଳାଯାଉଥିବା କ୍ରିକେଟ ବିଶ୍ବକପ ଫାଇନାଲ ମ୍ୟାଚ୍ ଉପରେ ସାରା ବିଶ୍ବର ନଜର ରହିଛି । ଭାରତରେ ଏହାକୁ ନେଇ ଉତ୍ସାହ ଓ ଉତ୍କଣ୍ଠା ମଧ୍ୟ ଶୀର୍ଷ ସ୍ତରରେ । ଭାରତରେ ଯେକୌଣସି ଘଟଣାକୁ ନେଇ ରାଜନୀତି ହେବା ପରି ଏହାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଛି । ଶିବସେନା ଉଦ୍ଭବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏହି ମ୍ୟାଚକୁ ଏକ ରାଜନୈତିକ ଇଭେଣ୍ଟ ଭାବେ ବିବେଚନା କରିଛନ୍ତି । ବିଜେପି ଶାସନରେ କୌଣସି ବି କାର୍ଯ୍ୟକ୍ରମ ଏକ ରାଜନୈତିକ ଇଭେଣ୍ଟରେ ପରିଣତ ହେଉଛି । ଯଦି ଇଣ୍ଡିଆ ବିଶ୍ବ ଚମ୍ପିଆନ ହୁଏ, ତେବେ ବିଜେପି ଏହାର ଶ୍ରେୟ ନେବା ପାଇଁ ରାଜନୀତି କରିବ ବୋଲି ସଞ୍ଜୟ କହିଛନ୍ତି ।
ବିଜେପିକୁ ବିଶ୍ବକପ ସହ ଯୋଡି କଟାକ୍ଷପୂର୍ଣ୍ଣ ସମାଲୋଚନା କରି ସଞ୍ଜୟ କହିଛନ୍ତି, ‘‘ଯେବେଠାରୁ ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିଲାଣି, ସେବେଠାରୁ ସମସ୍ତ କାର୍ଯ୍ୟକ୍ରମକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଦିଆଯାଉଛି । ଏପରି କି କାହାର ମୃତ୍ୟୁ ହେଲେ ମଧ୍ୟ । ଏହା ଏକ କ୍ରିକେଟ ମ୍ୟାଚ ହେଲେ ମଧ୍ୟ ଏହା ଏକ ପଲିଟିକାଲ ଇଭେଣ୍ଟ ସଦୃଶ । ଏବେ ଯଦି ଭାରତୀୟ ଦଳ ବିଜୟ ହାସଲ କରେ , ତେବେ ଏହାର ଶ୍ରେୟ ନେବାକୁ ବିଜେପି ପ୍ରୟାସ କରିବ । ଅମିତ ଶାହ ଓ୍ବିକେଟ ପଛରେ ଛିଡା ହୋଇଥିଲେ ଓ ଭାରତୀୟ ଦଳକୁ ମାର୍ଗଦର୍ଶନ ଦେଉଥିଲେ ବୋଲି ବିଜେପି କହିବାକୁ ମଧ୍ୟ ପଛାଇବ ନାହିଁ ।’’
ଏହା ପୂର୍ବରୁ ମଧ୍ୟ ସେ ଏହି ବିଶ୍ବକପର ଫାଇନାଲ ମ୍ୟାଚ୍ ଅହମ୍ମଦାବାଦରେ ଆୟୋଜିତ ହେବା ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି । ଏହିପରି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ମୁମ୍ବାଇ, ଦିଲ୍ଲୀ କିମ୍ବା କୋଲକାତାରେ ଆୟୋଜିତ ହେବା କଥା । ହେଲେ ସେମାନେ କ୍ରିକେଟକୁ ମୁମ୍ବାଇରୁ ଅହମ୍ମଦାବାଦକୁ ସ୍ଥାନାନ୍ତର କରିସାରିଲେଣି । ସେମାନେ କ୍ରିକେଟର ରାଜନୀତିକରଣ କରିବା ପାଇଁ ଏପରି ନିଷ୍ପତ୍ତି ନେଇଥିବା ସଞ୍ଜୟ କହିଥିଲେ ।