ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୩୧ରେ ପୁରା ଦେଶରେ ବିଶ୍ବାସ ଘାତକତା ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା । ଏନେଇ ଘୋଷଣା କରିଛି SKM । ପ୍ରତ୍ୟେକ ଜିଲ୍ଲା ତଥା ବ୍ଲକ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ମୋର୍ଚ୍ଚା ସହ ଜଡିତ ସମସ୍ତ ଫାର୍ମ ୟୁନିଅନ ମଧ୍ୟ ଏହି ପ୍ରତିବାଦକୁ ସମର୍ଥନ ଜଣାଇବେ । ଏହି କାର୍ଯ୍ୟକ୍ରମ ଦେଶର ପ୍ରାୟ ୫୦୦ ଜିଲ୍ଲାରେ ଅନୁଷ୍ଠିତ ହେବ ।
ଜାନୁୟାରୀ 15ରେ ଅନୁଷ୍ଠିତ କୃଷକ ସଂଗଠନର ସମନ୍ୱୟ କମିଟି ବୈଠକ ପରେ ଏକ ବିବୃତ୍ତିରେ ପ୍ରକାଶ ପାଇଛି । ଜାନୁଆରୀ 31ରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିବ କୃଷକ ମୋର୍ଚ୍ଚା । ବୈଠକରେ କୃଷକମାନେ ଦାବି କରିଥିଲେ ଯେ ସରକାର ସେମାନଙ୍କୁ ପ୍ରତାରଣା କରିଛନ୍ତି । ତିନୋଟି ବିବାଦୀୟ କୃଷି ଆଇନ ରଦ୍ଧ କରିବା ଦାବି କରି ଏକ ବର୍ଷରୁ ଅଧିକ ସମୟ ଧରି ଚାଷୀମାନେ ଆନ୍ଦୋଳନ କରିଥିଲେ। କୃଷି ଆଇନ ହଟିବା ପରେ ଚାଷୀ ମାନେ ମଧ୍ୟ ଆନ୍ଦୋଳନରୁ ହଟିଥିଲେ । ଏହା ପରେ ଚାଷୀଙ୍କ ଦାବି ପୂରଣ ନେଇ ସରକାର ପ୍ରତିଶୃତି ଦେଇଥିଲେ । କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ଏହା ପୂରଣ କରିପାରିନାହାନ୍ତି ।