ୱାସିଂଟନ: କିଛି ଦିନ ତଳେ ବିଶିଷ୍ଟ ଲେଖକ ସଲମାନ ରୁଶ୍ଦୀଙ୍କ(Salman Rushdie) ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ରୁଶ୍ଦୀ ନ୍ୟୁୟର୍କରେ ଷ୍ଟେଜ ଉପରେ ସମ୍ବୋଧିନ ଦେବା ସମୟରେ ତାଙ୍କୁ ହାଦୀ ମାତର(୨୪) ନାମକ ଯୁବକ ଛୁରୀ ଭୁସିଥିଲା । କିନ୍ତୁ ରୁଶ୍ଦୀଙ୍କ ଜୀବନ ବଞ୍ଚିଯାଇଥିବାବେଳେ, ତାଙ୍କର ଜୀବତ ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି ଆକ୍ରମଣକାରୀ । ଜେଲ୍ରେ 'ଦ ନିଉୟର୍କ ପୋଷ୍ଟ' ସହ ଏକ ସାକ୍ଷାତକାରରେ ଅଭିଯୁକ୍ତ ହାଦୀ ମାତର ଲେଖକଙ୍କ ବଞ୍ଚିବା ଖବର ଜାଣି ଆଶ୍ଚର୍ଯ୍ୟନ୍ବିତ ହୋଇଯାଇଥିବା କହିଛି ।
ହାଦୀ ମାତର କହିଛି ଯେ, ''ମୁଁ ସେହି ଲୋକକୁ ଜମା ପସନ୍ଦ କରେନି । ସେ ଜଣେ ଭଲ ଲୋକ ବୋଲି ମୁଁ ଭାବେନି । ରୁଶ୍ଦୀ ଇସଲାମକୁ ଆକ୍ରମଣ କରନ୍ତି । ସେ ଧର୍ମ ବିଶ୍ବାସକୁ ଆଘାତ ଦିଅନ୍ତି ।'' ତେବେ ଅଭିଯୁକ୍ତ ମାତର ଦିବଙ୍ଗତ ଇରାନି ନେତା ଆୟୋତୋଲ୍ଲା ରୁହୋଲ୍ଲା ଖୋମୈନିଙ୍କୁ (Ayatollah Ruhollah Khomeini)ମହାନ ବ୍ୟକ୍ତି ବୋଲି କହିଛି । କିନ୍ତୁ ଆୟୋତୋଲ୍ଲା ୧୯୮୯ରେ ଜାରି କରିଥିବା ଫତୱା ଦ୍ବାରା ସେ ପ୍ରେରିତ କି ନାହିଁ ତାହା କହିନାହିଁ ।