ହାଇଦ୍ରାବାଦ:ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସର ସର୍ବୋଚ୍ଚ ନେତୃତ୍ବ ନେଇ ବିବାଦୀୟ ବୟାନ ଦେଇଛନ୍ତି ଦଳର ବରିଷ୍ଠ ନେତା ସଲମାନ ଖୁର୍ସିଦ୍ଦ । ଖୁର୍ସିଦ୍ଦ କହିଛନ୍ତି, ମଲ୍ଲିକାର୍ଜୁନ ଖଡଗେ ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କିନ୍ତୁ ଆମର ମୁଖ୍ୟ ନେତା ଗାନ୍ଧୀ ପରିବାରରୁ । ଯଦି ଖଡଗେଜୀଙ୍କୁ ନେତା କୁହାଯିବ, ରାହୁଲ ଗାନ୍ଧୀଙ୍କୁ ନେତା ବୋଲି ବିଚାର କରାଯିବ ନାହିଁ, ତାହାଲେ ଏହା ଭୁଲ ହେବ । ଯିଏ ଖଡଗେଜୀଙ୍କର ନେତା, ସେ ଆମ ସମସ୍ତଙ୍କର ନେତା ବୋଲି ସଲମାନ ଖୁର୍ସିଦ୍ଦ କହିଛନ୍ତି (Salman Khurshid on his remarks of Rahul Gandhi)। ଏପରି ମନ୍ତବ୍ୟ ପରେ କଂଗ୍ରେସର ଦଳୀୟ ସମ୍ବିଧାନକୁ ନେଇ ବିରୋଧୀ କଟାକ୍ଷ କରିବା ଆରମ୍ଭ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସଲମାନ ଖୁର୍ସିଦ୍ଦଙ୍କ ଏପରି ମନ୍ତବ୍ୟକୁ ଉପହାସ କରିଛନ୍ତି ।
ତେବେ ଗାନ୍ଧୀ ପରିବାର ପ୍ରତି ଏପରି ଅତି ଆନୁଗତ୍ୟତାପୂର୍ଣ୍ଣ ମନ୍ତବ୍ୟ ରଖିବା ସଲମାନ ଖୁର୍ସିଦ୍ଦଙ୍କ କ୍ଷେତ୍ରରେ ପ୍ରଥମ ଘଟଣା ନୁହେଁ । ଏହା ପୂର୍ପରୁ ସେ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ପରୋକ୍ଷ ତୂଳନା କରିଥିଲେ । ମନ୍ତବ୍ୟକୁ ନେଇ ପରେ ବିବାଦ ଦେଖା ଦେବା ପରେ ଘଟଣାରେ ସଫେଇ ରଖିବା ସହ ମନ୍ତବ୍ୟକୁ ଭିନ୍ନ ଢଙ୍ଗରେ ଚିତ୍ରଣ କରି ବିବାଦକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଖୁର୍ସିଦ୍ଦ ।