ଜୟପୁର:ରାଜସ୍ଥାନ ବିଧାନସଭାରେ ଦେଖିବାକୁ ମିଳିଲା ନାଟକୀୟ ଘଟଣା । ନିକଟରେ ଗେହେଲଟଙ୍କ କ୍ୟାବିନେଟରୁ ବରଖାସ୍ତ ହୋଇଥିବା ମନ୍ତ୍ରୀ ରାଜେନ୍ଦ୍ର ଗୁଡ୍ଡାଙ୍କୁ ଆଜି ବିଧାନସଭା ପରିସରରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ଗୁଡ୍ଡା ହାତରେ ଏକ ନାଲି ଡାଏରୀ ଧରି ବିଧାନସଭାକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ସୁରକ୍ଷା ଅଧିକାରୀମାନେ ରୋକିବା ସହ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ । ଏହା ପରେ ଗୁଡ୍ଡା କହିଥିଲେ, ସେ ସାଙ୍ଗରେ ଆଣିଥିବା ନାଲି ଡାଏରୀରେ ଗେହଲୋଟ ସରକାରଙ୍କ ଆର୍ଥିକ ଅନିୟମିତତାର ପ୍ରମାଣ ଥିଲା । ସେ ଏହାକୁ ବିଧାନସଭାରେ ଉପସ୍ଥାପିତ କରିବାକୁ ଆସିଥିଲେ । ହେଲେ ତାଙ୍କୁ ପ୍ରବେଶ କରିବା ପାଇଁ ଅନୁମତି ମିଳିଲା ନାହିଁ ।
ଗୁଡ୍ଡାଙ୍କୁ ବିଧାନସଭାରେ ପ୍ରବେଶ କରିବାରୁ ରୋକାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ହାତରେ ଏକ ଡାଏରୀ ଧରି ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଏକାଧିକ ସୁରକ୍ଷା ଅଧିକାରୀ ତାଙ୍କୁ ରୋକିବା ପାଇଁ ପ୍ରୟାସ କରୁଥିଲେ । ସେ ଶେଷରେ ପ୍ରବେଶ ନକରିପାରି ଫେରି ଆସିଥିଲେ । ତେବେ ପ୍ରବେଶ କରିବାରୁ ବଞ୍ଚିତ ହେବା ପରେ ଗୁଡ୍ଡା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ଆର୍ଥିକ ଅନିୟମିତତାର ରେକର୍ଡ ସେ ସାଙ୍ଗରେ ଆଣିଥିବା ଡାଏରୀରେ ଥିଲା । ସେ କଂଗ୍ରେସ ନେତା ଧର୍ମେନ୍ଦ୍ର ରାଥୋଡଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢଉ ସମୟରେ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ ନିର୍ଦ୍ଦେଶରେ ଏହି ଡାଏରୀ ସୁରକ୍ଷିତ ଆଣିଥିଲେ ଓ ନିଜ ପାଖରେ ରଖିଥିଲେ ।