ମୁମ୍ବାଇ:ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଭାରତରେ ଅନଲାଇନ ଜୁଆ ବ୍ୟାନ ଥିବାବେଳେ ଆଇନ ଉଲ୍ଲଙ୍ଘନ କରାଯାଇ ଏହାକୁ ଖେଳାଯାଉଛି । ସେପଟେ ଭାରତ ରତ୍ନ ସଚିନ ତେନ୍ଦୁଲକର ଏବଂ ସୁପରଷ୍ଟାର ଅଜୟ ଦେବଗନଙ୍କ ସମେତ ଅନ୍ୟ ସେଲିବ୍ରିଟିମାନେ ଏହି ଖେଳକୁ ପ୍ରୋତ୍ସାହିତ କରୁଛନ୍ତି । ଯାହାକୁ ନେଇ ନାଭି ମୁମ୍ବାଇର ରାଜେନ୍ଦ୍ର ପାଟିଲ ନାମକ ଜଣେ ସାମାଜିକ କର୍ମୀ ଆପତ୍ତି ଉଠାଇଛନ୍ତି । ଏହା ଆଇନର ଉଲ୍ଲଙ୍ଘନ ବୋଲି ଦର୍ଶାଇ ମୁମ୍ବାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ରାଜେନ୍ଦ୍ର।
ତେବେ ମହାରାଷ୍ଟ୍ର ଏକ ପ୍ରଗତିଶୀଳ ରାଜ୍ୟ ଭାବେ ବେଶ ଜଣାଶୁଣା । ଶାହୁ, ଫୁଲେ, ଆମ୍ବେଦକର ଏବଂ ଛତ୍ରପତି ଶିବାଜୀଙ୍କ ଭଳି ବହୁ ବ୍ୟକ୍ତିତ୍ବ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ମାଟିରେ ଜୁଆ ଖେଳ ବାରଣ କରିଛନ୍ତି ରାଜ୍ୟ ସରକାର । ଅନଲାଇନ ଜୁଆ (Online Gambling)କୁ ପ୍ରୋତ୍ସାହନ ନଦେବାକୁ ସଚେତନ କରାଇ ଆସୁଛନ୍ତି ସରକାର । ହେଲେ ଏସବୁକୁ ଭ୍ରୁକ୍ଷେପ ନକରି ବହୁ ନାମୀ ତାରକାମାନେ ଅନଲାଇନ ଜୁଆ ଖେଳର ବ୍ରାଣ୍ଡ ଆମ୍ବାସଡର ସାଜିଛନ୍ତି । ଟେଲିଭିଜନରୁ ଆରମ୍ଭ କରି ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ମାଧ୍ୟମରେ ଅନଲାଇନ ଗେମ୍ ପାଇଁ ଯୁବପିଢିଙ୍କୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳୁଛି ।