ଶ୍ରୀନଗର:କଥାରେ ରହିଛି ଇଚ୍ଛା ଶକ୍ତି ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି । ଜମ୍ମୁକାଶ୍ମୀରର ଜଣେ ଦିବ୍ୟାଙ୍ଗ ଯୁବକ, ଯାହାଙ୍କର ଦୁଇଟି ହାତ ନାହିଁ, ସେ ଏକ ବ୍ୟାଟ୍ ଧରି କ୍ରିକେଟ ଖେଳିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ତାଙ୍କ ନାଁ ହେଉଛି ଅମିର ହୁସେନ ଲୋନ, ବୟସ ୩୪ । ଏହି ଭିଡିଓକୁ ବର୍ତ୍ତମାନ ଭାରତୀୟ ମହାନ କ୍ରିକେଟର ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ସୋଲିଆଲ ମିଡିଆରେ ସେୟାର କରି ବହୁ ପ୍ରଂଶସା କରିଛନ୍ତି । ଏପରିକି ସଚିନ ନିଜେ ଯାଇ ଅମିରଙ୍କୁ ଭେଟିବେ ବୋଲି କହିଛନ୍ତି । ସଚିନଙ୍କ ଏଭଳି ପ୍ରଂଶସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅମିର ।
ସୂଚନାଯୋଗ୍ୟ, ଅମିର ହୁସେନ ବର୍ତ୍ତମାନ ଜମ୍ମୁ କାଶ୍ମୀର ପାରା କ୍ରିକେଟ ଦଳର ଅଧିନାୟକ ରହିଛନ୍ତି । ସେ ୨୦୧୩ ମସିହାରୁ କ୍ରିକେଟ ଖେଳ ଆରମ୍ଭ କରିଥିଲେ । ଦୁର୍ଭାଗ୍ୟବଶତଃ ୮ ବର୍ଷ ବୟସରେ ତାଙ୍କ ପିତାଙ୍କ ମିଲରେ ଦୁର୍ଘଟଣାର ଶିକାର ହୋଇଥିଲେ ସେ । ଯେଉଁଥିରେ ନିଜର ଦୁଇ ହାତ ହରାଇଥିଲେ । ନିଜର ଇଚ୍ଛା ଶକ୍ତି ଏବଂ ଚେଷ୍ଟା ବଳରେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । ସେ ଖେଳରେ ଚମତ୍କାର ବୋଲିଂ ଏବଂ ବ୍ୟାଟିଂ ପ୍ରଦର୍ଶନ କରିଥାନ୍ତି । ନିଜର ପାଦ ମାଧ୍ୟମରେ ବୋଲିଂ କରୁଥିବାବେଳେ କାନ୍ଧ ଓ ବେକ ସାହାଯ୍ୟରେ ବ୍ୟାଟିଂ କରିଥାନ୍ତି ।
ତାଙ୍କର ଏଭଳି ଆଶ୍ଚର୍ଯ୍ୟଜନକ ଖେଳ ଦେଖି ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ଏକ୍ସ ହ୍ୟାଣ୍ଡେଲ୍ରେ ଲେଖିଛନ୍ତି, "ଅମିର ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । ଏହା ଦେଖି ମୁଁ ବହୁତ ଖୁସି । ଖେଳ ପ୍ରତି ତାଙ୍କର ରହିଥିବା ଭଲ ପାଇବା ଏବଂ ନିଷ୍ଠାପର ପ୍ରଦର୍ଶିତ ହେଉଛି । ଆଶା କରୁଛି ମୁଁ ଦିନେ ତାଙ୍କୁ ଭେଟି ପାରିବି ଏବଂ ତାଙ୍କ ନାମ ଥିବା ଏକ ଜର୍ସି ତାଙ୍କଠାରୁ ଆଣି ପାରିବି ।"