ଜୟପୁର: ବିଧାନସଭା ନିର୍ବାଚନ ପୂର୍ବରୁ ବିବାଦ ଓ ଦଳୀୟ ଅନ୍ତଃକନ୍ଦଳ ନେଇ କଳ୍ପନା ଜଳ୍ପନା ମଧ୍ୟରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଚର୍ଚ୍ଚିତ ଯୁବନେତା ସଚିନ ପାଇଲଟ କହିଛନ୍ତି, ତାଙ୍କ ଦଳ ସାମୂହିକ ନେତୃତ୍ୱ ଉପରେ ବିଶ୍ୱାସ କରେ । ରାଜସ୍ଥାନରେ ବ୍ୟକ୍ତିଗତ ଭାବେ କିଏ କେଉଁ ଦାୟିତ୍ବ ପାଇବ, ସେ ସମ୍ପର୍କିତ ନିଷ୍ପତ୍ତି ଦଳ କ୍ଷମତାକୁ ଫେରିବା ପରେ ହିଁ ଆବଣ୍ଟିତ ହେବ ।
ଆଜି (ରବିବାର) ଜାତୀୟ ଖବର ସରବରାହ ସଂସ୍ଥା ANIକୁ ପ୍ରତିକ୍ରିୟା ଦେଇ ପାଇଲଟ କହିଛନ୍ତି, ‘‘ଆମେ ଦଳ ମଧ୍ୟରେ ପରସ୍ପରକୁ ସମ୍ମାନ ଦେଉଛୁ ଓ ସାମୂହିକ ନେତୃତ୍ୱରେ ବିଶ୍ବାସ କରୁଛୁ । ଆମେ ନିର୍ବାଚନରେ ମିଳିତ ଭାବେ ଲଢିବାରେ ବିଶ୍ବାସ ରଖିଛୁ । ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଆମର ନିର୍ବାଚିତ ବିଧାୟକ ଓ ଦଳ ହିଁ ନିଷ୍ପତ୍ତି ନେବେ କିଏ ନେତୃତ୍ବ ଗ୍ରହଣ କରିବ । ଯଦି ଏହି ବ୍ୟବସ୍ଥାରେ କାହାର କିଛି ସମସ୍ୟା ଥାଏ, ତେବେ ସେମାନେ ଏହାକୁ ଦଳୀୟ ଫୋରମରେ ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ସମାଧାନ କରିବା ଉଚିତ । ଏପରି ବ୍ୟବସ୍ଥା ସର୍ବଦା ଆମ ଦଳର ପରମ୍ପରା, ନୀତି ଓ ଇତିହାସ ଭାବେ ରହିଆସିଛି ।
ଆହୁରି ମଧ୍ୟ ପାଇଲଟ କହିଛନ୍ତି, ‘‘ଏହା ଆମର ମାନସିକତା ରହିଆସିଛି ଯେ, ଆମେ ମିଳିତ ଭାବେ ନିର୍ବାଚନ ଲଢିବୁ ଓ ସଂଖ୍ୟା ବହୁମତ ହାସଲ କରିବୁ । ଆମେ କ୍ଷମତା ହାସଲ କରିସାରିବା ପରେ ଗୋଟିଏ ଟେବୁଲରେ ଏକାଠି ହେବୁ, ସେଠାରେ ହିଁ କାହାକୁ କେଉଁ ନେତୃତ୍ବ ମିଳିବ, ତାହା ସ୍ଥିର ହେବ । ଏହି ପନ୍ଥାରେ ଆମେ ସର୍ବଦା ନିର୍ବାଚନ ଲଢି ଆସିଛୁ । ଗତ ବିଧାନସଭା ନିର୍ବାଚନ (2018) ମଧ୍ୟ ଦଳ ଏହି ପନ୍ଥାକୁ ଅନୁସରଣ କରିଥିଲା । ଚଳିତ ଥର ମଧ୍ୟ ଦଳ ସମାନ ଫଣ୍ଡାରେ ନିର୍ବାଚନ ଲଢୁଛି । ଆମର ପ୍ରାଥମିକତା ନେତୃତ୍ବ ନୁହେଁ ବରଂ ବହୁମତ ହାସଲ କରିବା ।’’