ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢେଇ (Ukraine Russia War ) ଲଗାତାର ଜାରି ରହିଛି । ଏହି ଆକ୍ରମଣ ପ୍ରତି ଆକ୍ରମଣ ଆଜି ସପ୍ତମ ଦିନରେ ଆହୁରି ତୀବ୍ରତର ହେବାରେ ଲାଗିଛି । ଫଳରେ ଏବେ ଏହି ଲଢେଇର ପ୍ରଭାବ ଭାରତ-ଋଷ ପ୍ରତିରକ୍ଷା (Defence Deals with Russia) କାରବାର ଉପରେ ପଡିବାର ଆଶଙ୍କା ବଢିଛି ।
ଏହା ମଧ୍ୟ ପ୍ରଶ୍ନ ଉଠୁଛି ବର୍ତ୍ତମାନ ଋଷ ବିରୋଧରେ ପଶ୍ଚିମ ଦେଶ ଗୁଡିକ ଲଗାଇଥିବା ଆର୍ଥିକ କଟକଣାର ପ୍ରଭାବ ଭାରତ ଉପରେ ମଧ୍ୟ ପଡିବ କି ? ଏହାସହ ଋଷ ପାଖରୁ ଭାରତକୁ ମିଳିବାକୁ ଥିବା S-400 ଏୟାର ଡିଫେନ୍ସ ସିଷ୍ଟମ (S-400 Air Defence System)ର ହସ୍ତାନ୍ତର ପ୍ରକ୍ରିୟା ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟରେ ହୋଇପାରିବ ତ?
ଏହି ସବୁ ଆଶା ଆଶଙ୍କା ଲାଗି ରହିଥିବାବେଳେ ଭାରତ -ଋଷ ସମ୍ପର୍କ ଓ ପ୍ରତିରକ୍ଷା କାରବାରକୁ ନେଇ ଆଜି ବଡ ଟିପ୍ପଣୀ ଦେଇଛନ୍ତି ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଡେନିସ ଅଲୀପୋଭ (Denis Alipov) । ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି , ଋଷ- ଭାରତର ସମ୍ପର୍କ ବେଶ ସୁଦୃଢ । ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ସମ୍ପର୍କ ରହିଛି। ଋଷ-ୟୁକ୍ରେନର ଏହି ଲଢେଇ ଭାରତ-ଋଷ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ । ଉଭୟ ଦେଶ ମଧ୍ୟରେ ଯେଉଁ ସବୁ କାରବାର ଚାଲିଛି ତାହା ଚାଲିବ । ଭାରତ ହେଉଛି ଆମର ବିଶ୍ବସ୍ତ ସହଯୋଗୀ । ଭାରତର ସୁରକ୍ଷା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଉଭୟ ଦେଶର ଅଧିକାରୀ ସବୁବେଳେ ଯୋଗାଯୋଗରେ ରହିଛନ୍ତି ।