ହାଇଦ୍ରାବାଦ: ଋଷ-ୟୁକ୍ରେନ ସୀମା ବିବାଦ ମଧ୍ୟରେ ଏକ ସକରାତ୍ମକ ଖବର ସାମ୍ନାକୁ ଆସିଛି । ଆଜି ୟୁକ୍ରେନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିଥିବା ଦାବି କରିଛି ଋଷ । ୟୁକ୍ରେନ ସୀମାରେ ପ୍ରାୟ 1,00,000 ରୁ ଅଧିକ ସୈନ୍ୟ ମୂତୟନ କରିଥିଲା ଋଷ । ତେବେ ଆଜି କିଛି ସୈନ୍ୟ ହ୍ରାସ କରିଥିବା ଋଷ ସୂଚନା ଦେଇଛି । ଅନ୍ୟପଟେ ଋଷ ପକ୍ଷରୁ କରାଯାଇଥିବା ଏହି ଦାବିର ସତ୍ୟତାକୁ ନେଇ ୟୁକ୍ରେନ, ପଶ୍ଚିମ ରାଷ୍ଟ୍ର ସମୂହଙ୍କ ସମେତ NATO ମଧ୍ୟ ସନ୍ଦେହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।
ଏପରି ଖବର ପ୍ରସାରିତ ହେବା ପରେ ଲାଗି ରହିଥିବା ଯୁଦ୍ଧ ଆଶଙ୍କା ଟଳୁଥିବା ଚର୍ଚ୍ଚାକୁ ନେଇ ନାଟୋ ମୁଖ୍ୟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି NATO ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ । ୟୁକ୍ରେନ ସୀମାରେ ଋଷର ସାମରିକ ଉପସ୍ଥିତି ହ୍ରାସ ହେବାର କୌଣସି ସୂଚନା ବା ସଙ୍କେତ ଦେଖିବାକୁ ମିଳୁନାହିଁ, କିନ୍ତୁ ସ୍ଥିତି ଉପରେ ନାଟୋ ତୀକ୍ଷ୍ଣ ନଜର ରଖିଛି । ସେହିପରି ଯୁଦ୍ଧ ପାଇଁ ପ୍ରସ୍ତୁତି ବନ୍ଦ କରିବା ସହ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ମଧ୍ୟ ସେ ଗଣମାଧ୍ୟମ ଜରିଆରେ ଋଷକୁ ପରାମର୍ଶ ଦେଇଛନ୍ତି ।