ଲଣ୍ଡନ:୧୯୪୫ ମସିହା ପର ଠାରୁ ୟୁରୋପରେ ବିଶାଳ ଯୁଦ୍ଧ ପାଇଁ ପ୍ରୟାସ କରିଆସିଛି ଋଷ । ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଥିବା ସଂଘର୍ଷ ମଧ୍ୟରେ ଏପରି ଏକ ସାଙ୍ଘାତିକ ବୟାନ ଦେଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ । ବର୍ତ୍ତମାନ ପରିସ୍ଥିତିରେ ଋଷ କାର୍ଯ୍ୟକଳାପରୁ ପୂର୍ବ ଯୋଜନାରେ ସେ ଆଗକୁ ବଢୁଥିବା ପ୍ରମାଣିତ ହେଉଛି ବୋଲି ମଧ୍ୟ ବୋରିଶ କହିଛନ୍ତି । ଆଜି ଜାତୀୟ ଗଣମାଧ୍ୟମ BBCକୁ ଦେଇଥିବା ସାକ୍ଷାତକାରରେ ସେ ଏପରି ମତ ରଖିଥିବା ଦେଖିବାକୁ ମିଳିଛି । ବୋରିଶଙ୍କ ଏପରି ମନ୍ତବ୍ୟ ଆନ୍ତର୍ଜାତୀୟ ରଣନୀତି ଓ ୟୁକ୍ରେନ ସଙ୍କଟରେ ଉଷ୍ମତା ବଢିଛି ।
ବୋରିଶ କହିଛନ୍ତି, ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସଙ୍କଟକୁ ନେଇ ସାରା ବିଶ୍ବର ନଜର ଥିବାବେଳେ ଗୁଇନ୍ଦା ତଥ୍ୟରେ ଏକ ସାଙ୍ଘାତିକ ସୂଚନା ସାମ୍ନାକୁ ଆସିଛି । କୌଣସି ମୁହୂର୍ତ୍ତରେ ୟୁକ୍ରେନ ରାଜଧାନୀ କିବ ଉପରେ ଆକ୍ରମଣ କରିପାରେ । ୧୯୪୫ ମହିସା ପର ଠାରୁ ଋଷ କ୍ରମାଗତ ଭାବେ ୟୁରୋପରେ ଏକ ବଡ ଯୁଦ୍ଧ ସୃଷ୍ଚି କରିବା ଦିଗରେ ପ୍ରୟାସ ଜାରି ରଖିଛି । ବର୍ତ୍ତମାନ ପରିସ୍ଥିତକୁ ନଜର ପକାଇଲେ ଋଷ ତାର ପୂର୍ବ ଯୋଜନାନୁସାରେ ଆଗକୁ ବଢୁଥିବା ପରି ଦୃଷ୍ଟିଗୋଚର ହେଉଥିବା କହିଛନ୍ତି ଜନସନ ।
ଜନସନ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନର ସଙ୍କଟ ମଧ୍ୟରେ ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ ସୀମାରେ ଏବେ ମଧ୍ୟ ପ୍ରାୟ 169,000 ରୁ 190,000 ପର୍ଯ୍ୟନ୍ତ ଋଷ ସୈନ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ରହିଛନ୍ତି । ଯାହା ଋଷର ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି । ବର୍ତ୍ତମାନ ସମୟରେ ବିଶ୍ବବାସୀ ମାନବ ଜୀବନର ମୂଲ୍ୟ ବୁଝିବାର ଆବଶ୍ୟକତା ଥିବା ମଧ୍ୟ କହିଛନ୍ତି ଜନସନ ।