କିଭ:ୟୁକ୍ରେନର ପୋଲାଣ୍ଡ ସୀମାବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ କରିଛି ଋଷ । ପୋଲାଣ୍ଡ ସୀମାଠାରୁ ପ୍ରାୟ 10 କିଲୋମିଟର ଦୂରରେ ଥିବା ଏକ ୟୁକ୍ରେନୀୟ ସାମରିକ ବେସରେ ଋଷ ଏହି ମିସାଇଲ ଆକ୍ରମଣ କରିଛି । ଏଥିରେ ପ୍ରାୟ 9ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆକ୍ରମଣ ହୋଇଥିବା ସ୍ଥାନଟି ପୋଲାଣ୍ଡ ସୀମାବର୍ତ୍ତୀ ବା NATO ଅଞ୍ଚଳର ମଧ୍ୟ ଖୁବ ନିକଟତର ।
ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନାନୁସାରେ, ପୋଲାଣ୍ଡର ସୀମାଠାରୁ ପ୍ରାୟ 10 କିଲୋମିଟର ଦୂରରେ ଅବସ୍ଥିତ ଉତ୍ତର-ପଶ୍ଚିମ ଲଭିଭରେ ଥିବା ଏକ ସମାରିକ କେନ୍ଦ୍ରକୁ ଟାର୍ଗେଟ କରିଛି ଋଷସେନା । ଏହି ଆକ୍ରମଣରେ 9ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 57ଜଣ ଆହତ ହୋଇଛନ୍ତି । ଏହି କେନ୍ଦ୍ରରେ ବିଦେଶୀ ପ୍ରଶିକ୍ଷକମାନେ କାର୍ଯ୍ୟ କରୁଥିବାରୁ ମୃତକଙ୍କ ମଧ୍ୟରେ ବିଦେଶୀ ନାଗରିକ ମଧ୍ୟ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।