କିଭ:ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ସାଧାରଣ ଲୋକେ ସହରରୁ ପଳାୟନ କରି ଆଶ୍ରୟସ୍ଥଳୀରେ ଆଶ୍ରୟ ନେଉଥିବାବେଳେ ସେଠାରେ ମଧ୍ୟ ଆକ୍ରମଣରୁ ବର୍ତ୍ତିନାହାନ୍ତି । ଆଜି ୟୁକ୍ରେନର ପୋର୍ଟସିଟି ମାରିଓପୋଲରେ ଥିବା ଏକ ସ୍କୁଲରେ ଋଷ ସେନା ଆକ୍ରମଣ କରିଥିବା ଅଭିଯୋଗ କରିଛି ୟୁକ୍ରେନ । ଉକ୍ତ ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଥିଲା ଏବଂ ସେଠାରେ ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ଶରଣାର୍ଥୀ ଥିବା ନେଇ ମଧ୍ୟ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି । ଏହା ଋଷ ଦ୍ବାରା ଯୁଦ୍ଧ ଅପରାଧ (war crimes) ବୋଲି କହି ନିନ୍ଦା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।
ତେବେ ମିଳିଥିବା ସୂଚନା ଅନୁସାରେ ଉକ୍ତ ସ୍କୁଲଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ସେଠାରେ ଥିବା ଶରଣାର୍ଥୀଙ୍କ ମୃତାହତ ନେଇ ସୂଚନା ମିଳିପାରିନାହିଁ । ଗତ ଦୁଇ ଦିନ ତଳେ ମଧ୍ୟ ସମାନ ଅଭିଯୋଗ କରିଥିଲା ୟୁକ୍ରେନ । ମାରିଓପୋଲର ଏକ ଥିଏଟରରରେ ଶରଣାର୍ଥୀ ଆଶ୍ରୟ ନେଇଥିବା ବେଳେ ସେଠାରେ ଋଷ ପକ୍ଷରୁ ବୋମାବର୍ଷଣ ହୋଇଥିଲା । ଏଥିରେ ଏକାଧିକ ସାଧାରଣ ଜନତା ମଧ୍ୟ ପ୍ରାଣ ହରାଇଥିବା ସ୍ଥାନୀୟ ପ୍ରଶାସନ କହିଥିଲା ।