କୋଲକାତା:ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ବେଳେ ଗଣମାଧ୍ୟମ ଲାଇଭ ଷ୍ଟ୍ରିମିଂ କରିପାରିବ ନାହିଁ । ଆଜି ଅଭିଷେକଙ୍କ ପତ୍ନୀ ରୁଜିରା ବାନାର୍ଜୀ କରିଥିବା ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଇଡି)କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟର ଜଷ୍ଟିସ ସବ୍ୟସାଚୀ ଭଟ୍ଟାଚାର୍ଯ୍ୟ ମିଡିଆ କଭରେଜ ଉପରେ ଏହି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସହ ଗାଇଡଲାଇନ ଜାରି କରିଛନ୍ତି ।
କୋର୍ଟଙ୍କ ଗାଇଡଲାଇନ ଅନୁସାରେ, ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେଉଁଠାରେ ଚଢାଉ କିମ୍ବା ସର୍ଚ୍ଚ ଅପରେସନ କରିବା ବେଳେ କୌଣସି ଗଣମାଧ୍ୟମ ସଂସ୍ଥା ଏହାର ଲାଇଭ କଭରେଜ କରିପାରିବେ ନାହିଁ । ଚଢାଉରେ ଜବତ ସାମଗ୍ରୀ ଓ ଅନ୍ୟ ସୂଚନା ଗଣମାଧ୍ୟମକୁ କେନ୍ଦ୍ରୀୟ ସଂସ୍ଥା ପ୍ରଦାନ କରିବା ଉପରେ ମଧ୍ୟ କଟକଣା ରହିବ । ସେହିପରି ଏହି ଚଢାଉ ସମୟରେ କୌଣସି ଗଣମାଧ୍ୟମ ଟିମ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇପାରିବେ ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୌଣସି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାଠାରୁ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଦୂରରେ ରଖାଯିବ । ଅଭିଷେକଙ୍କ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ବେଳେ ତଦନ୍ତକାରୀ ସଂସ୍ଥା ଏହି ଗାଇଡଲାଇନ ଅନୁପାଳନ କରି ପ୍ରକ୍ରିୟା ଜାରି ରଖିବ ।
ସେହିପରି ମାମଲାର ଚାର୍ଜସିଟ ଅଦାଲତରେ ଦାଖଲ ନହେବା ଯାଏ, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଜବତ ସାମଗ୍ରୀ, ଦଲିଲ ସମ୍ପର୍କରେ କୌଣସି ତଥ୍ୟ ଗଣମାଧ୍ୟମ ସହିତ କେନ୍ଦ୍ରୀୟ ସଂସ୍ଥା ବିନିମୟ କରିପାରିବ ନାହିଁ । ସେହିପରି ଏହି ମାମଲା ସମ୍ପର୍କିତ କୌଣସି ଖବର ପ୍ରକାଶିତ କରିବା ବେଳେ ଅଭିଯୁକ୍ତଙ୍କ ଫଟୋ ମଧ୍ୟ କୌଣସି ଗଣମାଧ୍ୟମ ସଂସ୍ଥା ରିପୋର୍ଟରେ ପ୍ରକାଶିତ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।